ବିଜେପି ଛାଡ଼ିଲେ ନେତାଜୀଙ୍କ ଅଣନାତି, ଜାଣନ୍ତୁ କାରଣ
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର ବୋଷ ବିଜେପି ଛାଡ଼ିଛନ୍ତି । ବିଜେପି ପ୍ରତିଶ୍ରୁତି ମୁତାବକ ନେତାଜୀଙ୍କ ସ୍ୱପ୍ନ ପୂରଣ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ସେ ଦଳ ଛାଡ଼ିଛନ୍ତି । ଚନ୍ଦ୍ର ବୋଷ ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ । ସେ ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ଓ ୨୦୧୯ ଲୋକସଭା ନିର୍ବାଚନ ବିଜେପି ଟିକେଟରେ ମଧ୍ୟ ଲଢ଼ିଥିଲେ । ଚନ୍ଦ୍ର ବୋଷ କହିଛନ୍ତି, “ମୁଁ ଯେତେବେଳେ ବିଜେପିରେ ଯୋଗଦେଇଥିଲି ସେତେବେଳେ ମୋତେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଶରତ ଚନ୍ଦ୍ର ବୋଷଙ୍କ ସମାବେଶୀ ଆଦର୍ଶକୁ ପ୍ରଚାର କରିବାକୁ ଅନୁମତି ମିଳିବ ବୋଲି କୁହାଯାଇଥିଲା । କିନ୍ତୁ ଏଯାଏ ଏନେଇ କିଛି ବି ପଦକ୍ଷେପ ନିଆଯାଇ ନାହିଁ ।” ଚନ୍ଦ୍ର ବୋଷଙ୍କୁ ୨୦୧୬ରେ ବିଜେପି ପଶ୍ଚିମବଙ୍ଗରେ ଦଳର ଉପସଭାପତି ଭାବେ ନିଯୁକ୍ତି ଦେଇଥିଲା । କିନ୍ତୁ ୨୦୨୦ ସାଂଗଠନିକ ଅଦଳବଦଳ ବେଳେ ତାଙ୍କୁ ଏହି ପଦରୁ ବାହାର କରି ଦିଆଯାଇଥିଲା । ଚନ୍ଦ୍ର ବୋଷ କହିଛନ୍ତି, “ବୋଷ ବ୍ରଦର୍ସଙ୍କ ସମାବେଶୀ ଆଦର୍ଶ ହିଁ ସେତେବେଳେ ବିଜେପି ସହ ମୋ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା । ସେତେବେଳେ ଓ ପରବର୍ତ୍ତୀ ଅବସ୍ଥାରେ ମୋର ଗୋଟିଏ ଉଦ୍ଦେଶ୍ୟ ଥିଲା ଯେ ବିଜେପି ପ୍ଲାଟଫର୍ମରେ ଉକ୍ତ ଆଦର୍ଶକୁ ମୁଁ ପୂରା ଦେଶରେ ପ୍ରଚାର କରିବି । ବିଜେପିର ନୀତି ଆଦର୍ଶ ଭିତରେ ଗୋଟିଏ ଆଜାଦ ହିନ୍ଦ ମୋର୍ଚ୍ଚା ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ସମସ୍ତ ଭାରତୀୟଙ୍କ ପାଖରେ ନେତାଜୀଙ୍କ ଆଦର୍ଶ ପହଞ୍ଚାଇବା ଉପରେ ଏହି ମୋର୍ଚ୍ଚା କାମ କରିବାର ଥିଲା । ତେବେ ମୋର ସବୁ ପ୍ରକାରର ଉଦ୍ୟମକୁ ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ପକ୍ଷରୁ ସମର୍ଥନ ମିଳି ନଥିଲା । ମୁଁ ବେଙ୍ଗଲର ସବୁ ଲୋକଙ୍କ ପାଖରେ କେମିତି ଦଳ ପହଞ୍ଚିବ, ସେ ବିଷୟରେ ମଧ୍ୟ ବିସ୍ତୃତ ଯୋଜନା ସମ୍ପର୍କରେ ଅବଗତ କରାଇଥିଲି। ତଥାପି ମୋ ପ୍ରସ୍ତାବକୁ ଅଣଦେଖା କରାଯାଇଛି ।”