ରାଜ୍ୟସଭା ଯିବେ ସୋନିଆ ଗାନ୍ଧୀ

ମାଆଙ୍କ ଆସନରୁ ଲଢ଼ିବେ ଝିଅ ପ୍ରିୟଙ୍କା

ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ । ଅନ୍ୟପଟେ ନିଜର ପାରମ୍ପରିକ ଆସନ ରାଏବରେଲୀକୁ ଝିଅ ପ୍ରିୟଙ୍କାଙ୍କ ପାଇଁ ସୋନିଆ ଛାଡୁଥିବା ଚର୍ଚ୍ଚା ହେଉଛି । ଯଦି ରାଏବରେଲୀ ଆସନରୁ ପ୍ରିୟଙ୍କା ଲଢ଼ିବେ ତେବେ ଏହା ତାଙ୍କ ପ୍ରଥମ ପ୍ରତ୍ୟେକ୍ଷ ନିର୍ବାଚନ ହେବ । ତେବେ ଦୁଇ ଦିନ ମଧ୍ୟରେ ରାଜ୍ୟସଭା ପ୍ରାର୍ଥୀଭାବେ ସୋନିଆଙ୍କ ନାଁ ଘୋଷଣା କରିପାରେ କଂଗ୍ରେସ । ଲୋକସଭା ଆସନ ଛାଡି ରାଜ୍ୟସଭା ଯାଇପାରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ । ଅସୁସ୍ଥ ରହୁଥିବା ଯୋଗୁଁ ସୋନିଆ ଗାନ୍ଧୀ ଏଥରକ ନିର୍ବାଚନ ନଲଢ଼ି ରାଜ୍ୟସଭାକୁ ଯାଉଥିବା ଚର୍ଚ୍ଚା ଜୋରଧରିଛି । ଦୁଇ ଦିନ ମଧ୍ୟରେ କଂଗ୍ରେସ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ । ସୋନିଆଙ୍କ ବ୍ୟତିତ ରେସରେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ, ନାସେର ହୁସେନ, ଅଖିଳେଶ ପ୍ରସାଦ ସିଂ, ଅଭିଷେକ ମନୁ ସିଂଘବୀ ଅଛନ୍ତି । ତେବେ ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ସୋନିଆଙ୍କୁ ରାଜ୍ୟସଭା ପଠାଇବା ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି । ତେବେ ଉତ୍ତରପ୍ରଦେଶ ରାଏବରେଲୀ ହେଉଛି କଂଗ୍ରେସ ପାଇଁ ବେଶ ଗୁୁରୁତ୍ୱପୂର୍ଣ୍ଣ । ଯଦି ସୋନିଆ ରାଜ୍ୟସଭା ଯିବେ ତେବେ କଂଗ୍ରେସ ମହାସଚିବ ତଥା ଝିଅ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ରାଏବରେଲୀରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି । ୨୦୧୯ରେ ପ୍ରିୟଙ୍କା ରାଜନୀତିରେ ପ୍ରବେଶ କରିବା ପରେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଉତ୍ତରପ୍ରଦେଶରେ ଦଳର ମଜଭୁତ କରିବା ଲାଗି ଦଳ ତାଙ୍କୁ ମହାସଚିବ ନିଯୁକ୍ତ କରିଥିଲା ।