କମିଲା ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ

ନେପାଳରେ କମିଲା ଟଙ୍କାର ବିନିମୟ ମୂଲ୍ୟ, ଚିନ୍ତାରେ ବ୍ୟବସାୟୀ ଓ ପର୍ଯ୍ୟଟକ

ନେପାଳର ଖୁଚୁରା ବଜାରରେ କମିଲା ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ । ୩୦ ବର୍ଷ ପରେ ଅଚାନକ ଏଭଳି ହୋଇଛି । ନେପାଳୀ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ କମିବା କାରଣରୁ ସ୍ଥାନୀୟ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନେପାଳ ଯାଉଥିବା ଭାରତୀୟ ପର୍ଯ୍ୟଟକମାନଙ୍କ ଉପରେ ଏହାର ପ୍ରଭାବ ମଧ୍ୟ ସିଧାସଳଖ ପଡୁଛି । ସୋସିଆଲ ମିଡିଆରେ ସ୍ଥାନୀୟ ଲୋକମାନେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଏହା ଉପରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରୁଛନ୍ତି । ସୂଚନା ମୁତାବକ ୧୯୯୩ ମସିହା ପରେ ପ୍ରଥମଥର ପାଇଁ ନେପାଳ ବଜାରରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ କମିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ସୀମାରୁ ନେପାଳ ଭିତରକୁ ଯିବା ପରେ ଧିରେ ଧିରେ ଭାରତୀୟ ମୁଦ୍ରା ବିନିମୟ କରିବା ମଧ୍ୟ କଷ୍ଟକର ହୋଇପଡୁଛି । ଗଣମାଧ୍ୟମ ରିପୋର୍ଟ ନେପାଳର କଷ୍ଟମ କାର୍ଯ୍ୟାଳୟ ଓ ପେଟ୍ରୋଲ ପମ୍ପଗୁଡିକରେ ମଧ୍ୟ ଭାରତୀୟ ମୁଦ୍ରା ନିଆଯାଉନାହିଁ । ସେପଟେ ନେପାଳ ଭାରତର ଏକ ପଡୋଶୀ ଦେଶ ଓ ଏହାର ସୀମାକୁ ଉତ୍ତର ପ୍ରଦେଶ, ବିହାର ଓ ଉତ୍ତରାଖଣ୍ଡ ଲାଗିଥିବାରୁ ସ୍ଥାନୀୟ ଲୋକମାନଙ୍କ ଉପରେ ଏହାର ପ୍ରଭାବ ପଡୁଛି ।