ଲଣ୍ଡନରୁ ଆସିବ ଶିବାଜୀଙ୍କ ଗୁପ୍ତ ଅସ୍ତ୍ର

ଭାରତ ଫେରିବ ଶିବାଜୀଙ୍କ ‘ବାଘ ନଖ’

ଭାରତର ଐତିହ୍ୟର ପରିଚୟ ଦେଉଥିବା ଆଉ ଏକ ମୂଲ୍ୟବାନ୍ ବସ୍ତୁ ଦେଶକୁ ଫେରିବ । ଛତ୍ରପତି ଶିବାଜୀ ମହାରାଜଙ୍କ ସବୁଠୁ ଗୁରୁତ୍ବପୂର୍ଣ୍ଣ ହତିଆର ‘ବାଘ ନଖ’ ଭାରତ ଫେରିବ । ଏହି ଅସ୍ତ୍ରରେ ଶିବାଜୀ ନିଜ ବୁଦ୍ଧି ବଳରେ ମୋଗଲ ବାଦଶାହା ଅଫଜାଲ ଖାନଙ୍କର ହତ୍ୟା କରିଥିଲେ । ଗତ ଅନେକ ଦଶନ୍ଧି ଧରି ଏହି ବିରଳ ବାଘ ନଖ ଲଣ୍ଡନର ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମ୍ୟୁଜିୟମରେ ରଖାଯାଇଛି । ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଗଣ୍ଟିବାର ଏହି ବାଘ ନଖକୁ ଭାରତ ଫେରାଇ ଆଣିବା ଉପରେ ସୂଚନା ଦେଇଛନ୍ତି । ସେ ଚଳିତ ମାସ ଶେଷ ସୁଦ୍ଧା ଲଣ୍ଡନ ଯାଇ ଲଣ୍ଡନ ସ୍ଥିତ ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମ୍ୟୁଜିୟମ ଅଥରିଟିଙ୍କ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିବେ । ଏହାପରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଭାରତକୁ ଫେରାଇଅଣାଯିବ ବୋଲି ସୂଚନା ଦିଆଯାଇଛି । ‘ଶିବାଜୀ ଆଣ୍ଡ୍ ହିଜ୍ ଟାଇମ୍ସ’ ପୁସ୍ତକ ଅନୁସାରେ ୧୬୫୯ ପରେ ବିଜାପୁରର ତତ୍କାଳୀ ରାଜା ଅଫଜାଲ ଖାନ୍ ଶିବାଜୀଙ୍କୁ ଏକ ଚୁକ୍ତି ପାଇଁ ଡକାଇପଠାଇଲେ । ଶିବାଜୀ ନିଜର ୨ ଜଣ ବିଶ୍ୱସ୍ତ ସାଥୀଙ୍କ ସହ ଯାଇ ସେଠାରେ ପହଞ୍ଚିଥିଲେ । ପହଞ୍ଚିବା ପରେ ଅଫଜାଲ ଖାନ୍ ଶିବାଜୀଙ୍କୁ ଅଦିଲ ଖାନଙ୍କ ଅଧୀନ ହୋଇଯିବାକୁ ପ୍ରସ୍ତାବ ଦେଇଥିଲେ । ଏହା ସହ ଶିବାଜୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଅଫଜାଲ ଖାନ୍ ତାଙ୍କୁ ଆଲିଙ୍ଗନ କରି ମାରିବାକୁ ଚେଷ୍ଟା କରୁଥିବା ସମୟରେ ଶିବାଜୀ ଏହି ବାଘ ନଖ ଦ୍ୱାରା ଅଫଜାଲଙ୍କୁ ହତ୍ୟା କରିବାକୁ ସଫଳ ହୋଇଥିଲେ ।