ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଦେହାନ୍ତ, ପୋଲିସର ତଦନ୍ତ
ଆଉ ନାହାନ୍ତି ‘କାଣ୍ଟା ଲଗା’ ଗର୍ଲ। ୪୨ ବର୍ଷରେ ଆଖି ବୁଜିଲେ ଅଭିନେତ୍ରୀ ଶେଫାଳି ଜରିୱାଲା। ଗତ କାଲି ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ସେ ମୁମ୍ବାଇରେ ରହୁଥିଲେ। ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତିରେ ଶେଫାଳି ଜରିୱାଲାଙ୍କ ହୃଦଘାତ ହୋଇଥିଲା । ତାଙ୍କ ସ୍ୱାମୀ ତଥା ଅଭିନେତା ପରାଗ ତ୍ୟାଗୀ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଥିଲେ, ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତ୍ୟୁ ପରେ ତାଙ୍କ ମୃତ ଶରୀରକୁ ରାତି ପ୍ରାୟ ୧୨.୩୦ ବେଳେ ବ୍ୟବଚ୍ଛେଦ ପାଇଁ କୁପର ହସ୍ପିଟାଲକୁ ନିଆ ଯାଇଥିଲା
ତେବେ ଶେଫାଳିଙ୍କ ମୃତ୍ୟୁ ଖବର ପାଇବା ପରେ ତଦନ୍ତ କରିବା ପାଇଁ ଅନ୍ଧେରୀ ସ୍ଥିତ ସେ ରହୁଥିବା ଘରେ ଯାଇ ପହଞ୍ଚିଥିଲା ମୁମ୍ବାଇ ପୋଲିସ୍ । ଏକ ଫରେନସିକ୍ ଟିମ୍ ମଧ୍ୟ ପହଞ୍ଚିଥିଲା ଏବଂ ଘରର ସମ୍ପୂର୍ଣ୍ଣ ତଲାସୀ କରିଥିଲା । କିନ୍ତୁ ଆନୁଷ୍ଠାନିକ ଭାବେ ତାଙ୍କର ମୃତ୍ୟୁର କାରଣ ପ୍ରକାଶ ପାଇନାହିଁ । ଏହାରି ଭିତରେ ଭାଇରାଲ ହେଉଛି ଶେଫାଳିଙ୍କ ଶେଷ ପୋଷ୍ଟ । ଯାହା ସେ ଇନଷ୍ଟାଗ୍ରାମ ଓ ଟ୍ୱିଟର୍(X)ରେ ସେୟାର କରିଥିଲେ। ମୃତ୍ୟୁର ଠିକ୍ ୩ ଦିନ ପୂର୍ବରୁ ଶେଫାଳି ଗ୍ଲାମର୍ ଲୁକ୍ରେ ନିଜର ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଆଉ କ୍ୟାପସନ୍ରେ ଲେଖିଥିଲେ, ବ୍ଲିଙ୍ଗ୍ ଇଟ୍ ଅନ୍ ବେବୀ!(Bling it on baby!) । ଏହି ପୋଷ୍ଟରେ ସେ ଏକ ଧୂଷର କଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ, ଶେଫାଳି ଜରିୱାଲା ୨୦୦୨ରେ ‘କାଣ୍ଟା ଲଗା’ ମ୍ୟୁଜିକ୍ ଭିଡିଓରେ ଆଦୃତି ପାଇଥିଲେ । ବଲିଉଡ୍ ଚଳଚ୍ଚିତ୍ର ‘ମୁଝସେ ଶାଦୀ କରୋଗି’ ରେ ନଜର ଆସିଥିଲେ । ସେ ‘ବିଗ୍ ବସ୍ ୧୩’ ସମେତ ବହୁ ରିୟଲିଟି ସୋରେ ଭାଗ ନେଇଥିଲେ । ସେ ସବୁଠୁ ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ସୋ ‘ବୁଗି ୱୁଗି’ ଓ ‘ନଚ ବଲିୟେ ୫’ ଓ ‘ନଚ ବଲିୟେ ୭’ ସିଜିନରେ ଭାଗ ନେଇଥିଲେ । ୨୦୧୯ରେ ୱେବରେସିଜ୍ ‘ବେବୀ କମ୍ ନା’ ରେ ଅଭିନୟ କରିଥିଲେ । ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ଯୋଗୁଁ ସେ ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସୁଥିଲେ । ସେ ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ସମ୍ପର୍କରେ ଥିଲେ, କିନ୍ତୁ ତାହା ଅଧିକ ସମୟ ତିଷ୍ଠି ପାରିନଥିଲା । ସେ ପ୍ରଥମେ ୨୦୦୪ରେ ମିଟ୍ ବ୍ରଦର୍ସର ମ୍ୟୁଜିସିଆନ ହରମିତ୍ ସିଂଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୦୯ରେ ସେମାନେ ଅଲଗା ହୋଇଥିଲେ । ଏହା ପରେ ୨୦୧୫ରେ ସେ ପରାଗ ତ୍ୟାଗୀଙ୍କୁ ବିବାହ କରିଥିଲେ
