ଇଲେକ୍ଟୋରାଲ ବଣ୍ଡ ନେଇ ସମସ୍ତ ତଥ୍ୟ ଦେଲା ଏସବିଆଇ

ସବୁ ତଥ୍ୟ ଦେଲା ଏସବିଆଇ

ସୁପ୍ରିମକୋର୍ଟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଆଜି ଏକ ସତ୍ୟପାଠ ଦାଖଲ କରାଯାଇଛି। ଏହି ସତ୍ୟପାଠ ଦାଖଲ କରି କହିଛି କି SBI ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିଛି। ଇଲେକ୍ଟୋରାଲ ବଣ୍ଡ ନେଇ ସମସ୍ତ ତଥ୍ୟ ଆମେ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛୁ। ଏଥିରେ ନିର୍ବାଚନୀ ବଣ୍ତ ସହ କେଉଁ ଦଳକୁ କେତେ ଚାନ୍ଦା କେଉଁ କେଉଁ ସଂସ୍ଥା ଦେଇଛନ୍ତି ତା’ର ସମସ୍ତ ତଥ୍ୟ ରହିଛି। ଏହାସହ ଇଲେକ୍ଟୋରାଲ ବଣ୍ଡ ପାଇଥିବା ରାଜନୈତିକ ପାର୍ଟିଙ୍କ ନାମ ଓ ପାର୍ଟିମାନଙ୍କର ବ୍ୟାଙ୍କ ଆକାଉଣ୍ଟର ଶେଷ ୪ଟି ନମ୍ବର ପ୍ରଦାନ କରାଯାଇଛି । ଏହାବ୍ୟତୀତ ନିର୍ବାଚନୀ ବଣ୍ଡ ନେଇ ଅନ୍ୟ କିଛି ତଥ୍ୟ ବ୍ୟାଙ୍କ ପାଖରେ ନଥିବା କଥା ବ୍ୟାଙ୍କ ତରଫରୁ କୋର୍ଟଙ୍କୁ ସୂଚିତ କରାଯାଇଛି । ଏହାପୂର୍ବରୁ ନିର୍ବଚନୀ ବଣ୍ଡ ନେଇ ଏସବିଆଇ ତଥ୍ୟର ତାଳମେଳ ନ ଥିବା କହି କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ। ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଦର୍ଶାଇ ଏହାକୁ ଗତମାସ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ୨୦୧୮ ଜାନୁଆରିରେ ମୋଦି ସରକାର ନିୟମ କରିଥିଲେ ଯେ, ଜଣେ ଯେ କୌଣସି ବ୍ୟକ୍ତି ଓ ବ୍ୟାବସାୟିକ ସଂସ୍ଥା ନିଜ ପରିଚୟ ଗୋପନ ରଖି ଇଲେକଟ୍ରୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇପାରିବେ।