ସଞ୍ଜିବନୀ ସାଜିଛି ଅପରେସନ ‘ଅଜୟ’

ଏଯାଏଁ ଉଦ୍ଧାର ହେଲେଣି ୨୭୪ ଭାରତୀୟ !

ଜୋରଦାର ଚାଲିଛି ଅପରେସନ ଅଜୟ । ଇସ୍ରାଏଲ ଘମାଘୋଟ ଲଢେଇ ଭିତରୁ ବଞ୍ଚିବାର ରହ ନେଇ ସ୍ଵଦେଶ ଫେରୁଛନ୍ତି ଭାରତୀୟ । ଆଉ ଜୀବନ ଫେରିପାଇବା ପରେ ଭାରତର ଏହି ଅପରେସନକୁ ଭୁରିଭୁରି କରୁଛନ୍ତି ପ୍ରଶଂସା। ତେବେ ଏହାରି ମଧ୍ୟରେ ଆଉ ଏକ ଖୁସି ଖବର ଦ୍ଖିବାକୁ ମିଳିଛି ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭୁବନେଶ୍ୱର ଫେରିଛନ୍ତି ଆଉ ୭ ଜଣ ଓଡ଼ିଆ। ‘ଅପରେସନ୍ ଅଜୟ’ ଜରିଆରେ ସେମାନଙ୍କୁ ଇସ୍ରାଏଲରୁ ଉଦ୍ଧାର କରାଯାଇଛି। ସେମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି।

ଏହାସହ ଯୁଦ୍ଧ ବିଭିଷୀକାକୁ ଅତି ନିକଟରୁ ଦେଖିଥିବା ଏମାନେ ବଖାଣିଛନ୍ତି ଇସ୍ରାଏଲର ଛାତିଥରା ଅନୁଭୂତି। ଓଡ଼ିଶାରେ ପହଞ୍ଚିବା ପରେ ସେମାନେ ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି। ଏଥିପାଇଁ ସେମାନେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘ଅପରେସନ୍ ଅଜୟ’ ଜରିଆରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୯ଜଣ ପ୍ରତ୍ୟାବର୍ତ୍ତନ କରିଥିଲେ। ‘ଅପରେସନ ଅଜୟ’ ଜରିଆରେ ଚତୁର୍ଥ ପର୍ଯ୍ୟାୟରେ ଇସ୍ରାଏଲରୁ ଭାରତ ମୋଟ ୨୭୪ ଭାରତୀୟ ଆସିଛନ୍ତି । ପୂର୍ବରୁ ମଧ୍ୟ ବିଭିନ୍ନ ଦେଶରେ ଯୁଦ୍ଧସ୍ଥିତି ବେଳେ ଭାରତୀୟଙ୍କୁ ଉଦ୍ଧାର ଲାଗି ବିଭିନ୍ନ ଅପରେସନ ସଫଳ ହୋଇଥିଲା ।