ଜି-୨୦ ସମ୍ମିଳନୀକୁ ଆସିବେନି ଋଷ ରାଷ୍ଟ୍ରପତି

ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବେନି ପୁଟିନ

ଆଗାମୀ ମାସରେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବେନି ରୁଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । କ୍ରେମଲିନର ପ୍ରବକ୍ତା ଦିମିତ୍ରୀ ପେସକୋଭ ଏନେଇ ସୂଚନା ଦେଇଛନ୍ତି । ଦୀର୍ଘଦିନ ହେବ ଆଶଙ୍କା ଥିଲା ଯେ ରୁଷ ଏହି ଜି-୨୦ ବୈଠକରେ ସାମିଲ ହେବ କି ନାହିଁ । କ୍ରେମଲିନର ପ୍ରବକ୍ତା କହିଛନ୍ତି, ପୁଟିନ ଭାରତରେ ସେପ୍ଟେମ୍ବରରେ ହେବାକୁଥିବା ଜି-୨୦ ସମ୍ମିଳନୀ ପାଇଁ ଯାତ୍ରାର ଯୋଜନା କରୁନାହାନ୍ତି । ଏବେ ତାଙ୍କର ଫୋକସ୍ ଏକ ସ୍ୱତନ୍ତ୍ର ସୈନ୍ୟ ଅଭିଯାନ ଉପରେ ଅଛି । ରୁଷ୍ ଏବଂ ୟୁକ୍ରେନ ମଧ୍ୟ ୨୪ ଫେବ୍ରୁଆରୀ ୨୦୨୨ରୁ ଭୀଷଣ ଯୁଦ୍ଧ ଚାଲିଛି । ଆମେରିକା ଏବଂ ନାଟୋ ସମର୍ଥନରେ ରୁଷକୁ କଡ଼ା ଟକ୍କର ଦେଉଛି ୟୁକ୍ରେନ । ଦେଢ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ଧରୁନାହିଁ । ଜି-୨୦ ଶିଖର ସମ୍ମିଳନୀ ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତରେ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସମ୍ମିଳନୀକୁ ନେଇ ଭାରତ ସମସ୍ତ ଜି-୨୦ ସଦସ୍ୟ ଦେଶ, ଆମନ୍ତ୍ରିତ ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନର ନେତାଙ୍କୁ ନିମନ୍ତ୍ରଣ ପଠାଇଥିଲା । ଅନ୍ୟ ସବୁଠୁ ଉତ୍ତର ମିଳିଥିବା ବେଳେ ରୁଷରୁ ଏହା ସ୍ପଷ୍ଟ କରାଯାଇନଥିଲା ଯେ ପୁଟିନ ଏଥିରେ ଭାଗ ନେବେ କି ନାହିଁ । ତେବେ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ହେଉଥିବା ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ସାମିଲ ହୋଇନଥିଲେ ପୁଟିନ ।