ରେପୋ ହାର ୬.୫୦ ପ୍ରତିଶତରେ ବଳବତ୍ତର

ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରା ନୀତି ଘୋଷଣା କରିଛି। ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ପୂର୍ବରୁ ଥିବା ରେପୋ ହାର ୬.୫୦ ପ୍ରତିଶତକୁ ବଳବତ୍ତର ରଖାଯାଇଛି। ଏହା ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ହୋଇଥିଲେ ମଧ୍ୟ ଯେଉଁମାନେ ବ୍ୟାଙ୍କରୁ ଶସ୍ତା ଋଣ ପାଇଁ ଆଶା କରିଥିଲେ ସେମାନଙ୍କ ପାଇଁ ନୈରାଶ୍ୟଜନକ ଖବର । ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟିର ତିନି ଦିନିଆ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଦରଦାମ୍ ହ୍ରାସ କରିବା ଉପରେ ଆରବିଆଇର ଫୋକସ୍ ରହିଛି ଏବଂ ଆମ ଅର୍ଥନୀତିରେ ଅଭିବୃଦ୍ଧି ମଧ୍ୟ ଅକ୍ଷୁର୍ଣ୍ଣ ରହିଛି। ଯଦିଓ ଦରଦାମ୍ ବୃଦ୍ଧି ଆରବିଆଇର ଲକ୍ଷ୍ୟଠାରୁ ଅଧିକ ରହିଛି, ତଥାପି ୪ ପ୍ରତିଶତ ମୁଦ୍ରାସ୍ଫୀତି ହାସଲ କରିବାକୁ ଆରବିଆଇ ପ୍ରତିଶ୍ରୁତିବଦ୍ଧ। ମୂଳ ଦରଦାମ୍ ହାର ହ୍ରାସ ପାଉଛି, ଏହି କାରଣରୁ ଏହାର ପ୍ରଭାବ ନିୟମିତ ଦରଦାମ୍ ଉପରେ ମଧ୍ୟ ଦେଖାଯିବ। ପନିପରିବା ଦରବୃଦ୍ଧି କାରଣରୁ ଜୁଲାଇ-ଅଗଷ୍ଟରେ ମୁଦ୍ରାସ୍ଫିତି ହାର ଅଧିକ ହେବାର ସମ୍ଭାବନା ରହିଛି ବୋଲି ଆରବିଆଇ ଗଭର୍ଣ୍ଣର୍ କହିଛନ୍ତି।