ଚୂଡ଼ାନ୍ତ ହେଲା ରାମଲାଲାଙ୍କ ପ୍ରତିମା !
ଜାନୁଆରୀ ୨୨ରେ ହେବ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏଥିପାଇଁ ଚଳ ଚଞ୍ଚଳ ଅଯୋଧ୍ୟା ନଗରୀ। ଜୋରସୋରରେ ଜାରି ରହିଛି ମନ୍ଦିର ନିର୍ମାଣ କାର୍ଯ୍ୟ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ। ତେବେ ଏହାରି ମଧ୍ୟରେ ଆଜି ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀରାମ ମନ୍ଦିର ଗର୍ଭଗୃହରେ ପୂଜା ପାଇବାକୁ ଥିବା ପ୍ରଭୁ ରାମଙ୍କ ପ୍ରତିମା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ତେବେ କମିଟିର ସଦସ୍ୟମାନେ କହିଛନ୍ତି ଯେ ଧାର୍ମିକ ଓ ଆଧ୍ୟାତ୍ମିକ ନେତୃମଣ୍ଡଳୀଙ୍କଠାରୁ ମଧ୍ୟ ଏହି ମୂର୍ତ୍ତି ସଂପର୍କରେ ମତାମତ ସଂଗ୍ରହ କରାଯିବ। ମନ୍ଦିର ଗର୍ଭଗୃହରେ ସ୍ଥାପିତ ହେବା ପାଇଁ ଭାରତର ବିଶିଷ୍ଟ ଶିଳ୍ପୀଙ୍କ ଦ୍ୱାରା ତିନୋଟି ପ୍ରତିମା ନିର୍ମାଣ କରାଯାଇଥିଲା। ସେଥିମଧ୍ୟରୁ ଆଜି ଗୋଟିଏ ପ୍ରତିମାକୁ ଚୂଡ଼ାନ୍ତ କରାଯାଇଥିବା ସୂଚନା ମିଳିଛି। ତେବେ ଶ୍ରୀରାମ ମନ୍ଦିର ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରତିମାର ଉଚ୍ଚତା ୫୧ ଇଞ୍ଚର ରହିବ। ୫ ବର୍ଷର ବାଳକ ରୂପରେ ରାମଲଲାଙ୍କ ପ୍ରତିମା ସ୍ଥାନ ପାଇବ। ଏହା ବିବାହ ପୂର୍ବର ମୂର୍ତ୍ତି ହୋଇଥିବାରୁ ଦେବୀ ସୀତାଙ୍କ ମୂର୍ତ୍ତି ମୁଖ୍ୟ ମନ୍ଦିରରେ ରହିବ ନାହିଁ । ମନ୍ଦିର ଗର୍ଭଗୃହରେ ନିର୍ମିତ ଦିବ୍ୟ ଆସ୍ଥାନରେ ବିରାଜିବେ ୫ ବର୍ଷର ବାଳକ ରୂପରେ ରାମଲାଲା ।
