ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠିତ

ଉପାଧ୍ୟକ୍ଷ ପ୍ୟାନେଲରୁ ସୁଲତା ଆଉଟ ମମତା ଇନ୍

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ୍ ପୁନର୍ଗଠିତ । ଆଜି ଏନେଇ ଗୃହରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖର ଘୋଷଣା କରିଛନ୍ତି । ଉପାଧ୍ୟକ୍ଷ ପ୍ୟାନେଲରେ ୫୦ ପ୍ରତିଶତ ମହିଳାଙ୍କ ପ୍ରତିନିଧିତ୍ୱ ରହିଥିବା ସେ ମତ ରଖିଛନ୍ତି । ତେବେ ଗତ ଜୁଲାଇ ମାସରେ ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିବା ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ପରିବର୍ତ୍ତେ ମମତା ମହନ୍ତଙ୍କୁ ସ୍ଥାନ ମିଳିଛି । ସଂସଦର ସ୍ୱତନ୍ତ୍ର ଅଧିବେଶନର ଆଜି ପ୍ରଥମ ଦିନରେ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଧନଖର ଏହି ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ ଘୋଷଣା କରି କହିଥିଲେ ଯେ, ମୋଟ ୮ଜଣ ସଦସ୍ୟଙ୍କୁ ପ୍ୟାନେଲରେ ସାମିଲ କରାଯାଇଛି । ସେଥିରେ ୪ଜଣ ମହିଳା ସାଂସଦ ଅଛନ୍ତି । ମହିଳା ସାଂସଦମାନେ ହେଲେ ବିଜେଡିର ମମତା ମହନ୍ତ, ବିଜେପିର କାନ୍ତା କରଦମ, ସୁମିତ୍ରା ବାଲ୍ମିକୀ ଓ ଗୀତା ଓରଫ ଚନ୍ଦ୍ରପ୍ରଭା । ସେହିପରି କଂଗ୍ରେସର ଅଖିଳେଶ ପ୍ରସାଦ ସିଂ, ଆମ ଆଦମୀ ପାର୍ଟିର ନାରାୟଣ ଦାସଗୁପ୍ତା, ୱାଇଏସଆର କଂଗ୍ରେସର ଭି.ବିଜୟସାଇ ରେଡ୍ଡୀ ଏବଂ ତୃଣମୂଳ କଂଗ୍ରେସର ଶାନ୍ତ୍ୱନୁ ସେନ୍ ଏହି ପ୍ୟାନେଲର ସଦସ୍ୟ ଅଛନ୍ତି । ଏହି ପ୍ୟାନେଲର କାର୍ଯ୍ୟକାଳ ୨୦୨୩ ସେପ୍ଟେମ୍ବର ୧୩ତାରିଖରୁ କାର୍ଯ୍ୟକ୍ଷମ ହୋଇଛି ।