ଲାଞ୍ଚ ନେଲେ ସ୍ବାମୀ, ନିଲମ୍ବିତ ହେଲେ ସ୍ତ୍ରୀ
ରାଜସ୍ଥାନର ଜୟପୁର ହେରିଟେଜ ମହାନଗର ନିଗମର ମେୟର ମୁନେଶ ଗୁର୍ଜରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ତାଙ୍କ ସ୍ୱାମୀ ସୁଶୀଲ ଗୁର୍ଜର ଏକ ଜମିକୁ ଲିଜ୍ରେ ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏପରିକି ତାଙ୍କୁ ଜୟପୁର ହେରିଟେଜ ମହାନଗର ନିଗମର ୪୩ ନମ୍ବର ୱାର୍ଡର କର୍ପୋରେଟର ପଦରୁ ମଧ୍ୟ ନିଲମ୍ବନ କରାଯାଇଛି ।
ମେୟର ମୁନେଶ ଗୁର୍ଜରଙ୍କ ବାସଭବନରେ ହିଁ ତାଙ୍କ ସ୍ୱାମୀ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ସେତେବେଳେ ମେୟର ଘରେ ଉପସ୍ଥିତ ଥିଲେ।ତାଙ୍କ ବାସଭବନରେ ଯାଞ୍ଚ ବେଳେ ନଗଦ ୪୦ ଲକ୍ଷ ଟଙ୍କା ମିଳିଥିଲା। ତେଣୁ ମେୟର ବି ଏଥିରେ ସଂପୃକ୍ତ ଥାଇପାରନ୍ତି। ସେ ମେୟର ପଦରେ ରହିଲେ ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରିପାରନ୍ତି। ସେଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ସରକାର ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି।