ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧୀ
ପ୍ରତ୍ଯେକ ସମୟରେ କିଛି କିଛି କାର୍ଯ୍ୟ ପାଇଁ ଚର୍ଚ୍ଚାରେ ଥାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କେତେବେଳେ ଚାଷୀଙ୍କ ସାଥିରେ ଟ୍ରାକ୍ଟର ଚଳାଇ ତ ଆଉ କେତେବେଳେ ବିଲରେ ଚାଷ କରି । ତେବେ ପୁଣି ଏମିତି କିଛି ଘଟନା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ରାହୁଲ । ଲୋକାଲ ଟ୍ରେନରେ ସର୍ବସାଧାରଣଙ୍କ ସାଥିରେ ଯାତ୍ରା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଛତିଶଗଡ଼ ବିଳାସପୁରରେ ଉଦବୋଧନ ଦେବା ପରେ ଟ୍ରେନରେ ରାୟପୁରକୁ ଯାତ୍ରା କରିଥିଲେ । ବିଳାସପୁରରୁ ରାୟପୁର ୧୧୭ କିଲୋମିଟର ଯାତ୍ରା କରିଥିଲେ ରାହୁଲ ଗାନ୍ଧୀ ।
ଏହି ସମୟରେ ଯାତ୍ରୀଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ଟ୍ରେନରେ ଥିବା ମହିଳା ହକି ଖେଳାଳିଙ୍କ ସହ ମଧ୍ୟ କଥା ହୋଇଥିଲେ ରାହୁଲ ଗାନ୍ଧୀ । ଟ୍ରେନରେ ତାଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ପ୍ରଭାରୀ କୁମାରୀ ସୈଳଜା ମଧ୍ୟ ଉପସ୍ଥିତ ଥିଲେ । ସାଧାରଣ ଯାତ୍ରୀଙ୍କ ପରି ଯାତ୍ରା କରି ବୁଲି ବୁଲି ଲୋକଙ୍କ ସହ କଥା ହୋଇଥିଲେ । ଏହି ସମୟରେ ଯାତ୍ରୀମାନେ ତାଙ୍କ ସହ ସେଲ୍ଫି ମଧ୍ୟ ନେଇଥିଲେ । ତେବେ ଏହାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ରାହୁଲ ।