କୁଲି ହୋଇ କୁଲି ଭାଇମାନଙ୍କ ଦୁଃଖ ବୁଝିଲେ ରାହୁଲ
ଦେହରେ ନାଲି ଶାର୍ଟ, ମୁଣ୍ଡରେ ଠେକା ଓ ସୁଟକେସ୍ । ହାତରେ କଳା ବ୍ୟାଚ୍ ପିନ୍ଧି କୁଲି ଲୁକ୍ ରେ ନଜର ଆସିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନକୁ ଯାଇ କୁଲି ହୋଇ ସୁଟକେସ୍ ବୋହିଛନ୍ତି ରାହୁଲ । ଏହାସହ ସେଠାରେ କାର୍ଯ୍ୟ କରୁଥିବା କୁଲିମାନଙ୍କ ସହ କିଛି ସମୟ କଥା ବାର୍ତ୍ତା ହୋଇଛନ୍ତି । ନିକଟରେ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କୁଲି ଭାଇମାନେ ରାହୁଲ ଗାନ୍ଧି ସେମାନଙ୍କୁ ଭେଟନ୍ତୁ ବୋଲି ବେଶ ଇଚ୍ଛା ପ୍ରକାଶ କରିଥିଲେ। ଆଜି ରାହୁଲ ଗାନ୍ଧି ସେମାନଙ୍କ ଗ୍ରହଣରେ ପହଞ୍ଚିଛନ୍ତି ଓ ସେମାନଙ୍କ କଥା ସବୁ ଶୁଣିଛନ୍ତି। ଆଜି ମଧ୍ୟାହ୍ନ ସମୟରେ ରାହୁଲ ଗାନ୍ଧି ହଠାତ୍ ଆନନ୍ଦ ବିହାର ଷ୍ଟେସନରେ କାମ କରୁଥିବା କୁଲିମାନଙ୍କ ପାଖରେ ପହଞ୍ଚିଥିଲେ । ତାଙ୍କୁ ସେଠାକାର କର୍ମଚାରୀ ମଧ୍ୟ ସ୍ୱାଗତ କରିଥିଲେ ।
କୁଲିମାନେ କ’ଣ ସବୁ ସମସ୍ୟା ଭୋଗୁଛନ୍ତି ଓ ସେମାନେ କ’ଣ ସବୁ ଦାବି କରୁଛନ୍ତି, ସେକଥା ରାହୁଲ ଗାନ୍ଧି ବେଶ କିଛି ସମୟ ଧରି ରାହୁଲ ଶୁଣିଥିଲେ। ସେମାନଙ୍କ ଭଲ ମନ୍ଦ କଥା ମଧ୍ୟ ପଚାରି ବୁଝିଥିଲେ । ଏହାପରେ ସେ କୁଲିଙ୍କ ଭଳି ନାଲି ଶାର୍ଟ ଓ କଳା ବ୍ୟାଚ୍ ପିନ୍ଧି ଗୋଟିଏ ସୁଟକେସକୁ ମୁଣ୍ଡରେ ରଖି ବେଶ କିଛି ବାଟ ଚାଲିଥିଲେ । କଂଗ୍ରେସ ପକ୍ଷରୁ ଏହାର ଫଟୋକୁ ଅଫିସିଆଲ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରାଯାଉଛି। ଏଥିରେ ରାହୁଲ ଗାନ୍ଧି ପ୍ରବଳ ଭିଡ଼ ଭିତରେ ଜଣେ ସାଧାରଣ କୁଲିଙ୍କ ଭଳି ସମସ୍ତଙ୍କ ସହ ହସଖୁସିରେ ମିଶୁଥିବା ଦେଖିବାକୁ ମିଳୁଛି ।