ମିଳିଲାନି ମନ୍ଦିର ଭିତରକୁ ପ୍ରବେଶ ଅନୁମତି, ରାସ୍ତା ଉପରେ ବସିଲେ ରାହୁଲ

ରାସ୍ତା ଉପରେ ବସିଲେ ରାହୁଲ

ମନ୍ଦିର ଭିତରକୁ ପ୍ରବେଶ ଅନୁମତି ନ ମିଳିବାରୁ ରାହୁଲ୍ ଗାନ୍ଧି ଏବଂ ଅନ୍ୟାନ୍ୟ କଂଗ୍ରେସକର୍ମୀମାନେ ନାଗାଓଁରେ ଧାରଣା ଦେଇଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ମନ୍ଦିର ପ୍ରବେଶ ଉପରେ ଲାଗିଲା ରୋକ୍‌। ମନ୍ଦିର ଭିତରକୁ ତାଙ୍କ ପ୍ରବେଶ ବାରଣ ହୋଇଛି। ମନ୍ଦିର ଭିତରକୁ ତାଙ୍କୁ ଛଡ଼ା ନ ଯିବାରୁ ସେ ରାସ୍ତା ଉପରେ ଧାରଣାରେ ବସିଛନ୍ତି। ରାସ୍ତା ଉପରେ ବସି ସେ ‘ରଘୁପତିି ରାଘବ ରାଜାରାମ’ ଗାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ଆସାମରେ ଅଛନ୍ତି। ଏଠାରେ ବତାଦ୍ରଭା ଅଞ୍ଚଳରେ ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ରହିଛି। କାର୍ଯ୍ୟକ୍ରମ ଅନୁଯାୟୀ ରାହୁଲ ଗାନ୍ଧି ଆଜି ଶଙ୍କରଦେବ ମନ୍ଦିରକୁ ଯିବାର ଥିଲା। କିନ୍ତୁ ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି ବୋଲି ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି। ଏହାକୁ ବିରୋଧ କରି ସେ ରାସ୍ତା ଉପରେ ଧାରଣାରେ ବସିଥିଲେ। ମୋର ଅପରାଧ କ’ଣ? କାହିଁକି ମୁଁ ମନ୍ଦିରକୁ ଯାଇ ପାରିବି ନାହିଁ? ବୋଲି ରାହୁଲ ପ୍ରଶ୍ନ କରିଥିଲେ । ପୂର୍ବରୁ ତାଙ୍କୁ ମନ୍ଦିର ଯିବାକୁ ଅନୁମତି ଦିଆଯାଇଥିଲା, କିନ୍ତୁ ଆଜି ତାଙ୍କୁ ମନା କରାଯାଇଛି ବୋଲି କଂଗ୍ରେସ ସାଂସଦ କହିଛନ୍ତି। କିଏ ମନ୍ଦିର ଦର୍ଶନ କରିପାରିବେ, ଏ କଥା ଏବେ ପ୍ରଧାନମନ୍ତ୍ରୀ ମୋଦି ସ୍ଥିର କରିବେ। ଏବେ କେବଳ ଜଣେ ବ୍ୟକ୍ତି ମନ୍ଦିରରେ ପ୍ରବେଶ କରିପାରିବେ ବୋଲି ରାହୁଲ କହିଛନ୍ତି। ମନ୍ଦିରର ପରିଚାଳନା କମିଟି ସୋମବାର ଅପରାହ୍ନ ୩ ଟା ପରେ ରାହୁଲ ଗାନ୍ଧିଙ୍କୁ ଆସିବାକୁ ସୂଚନା ଦେଇଥିଲେ । ପରିଚାଳନା କମିଟିର ମୁଖ୍ୟ ଯୋଗେନ୍ଦ୍ର ଦେବ ମହନ୍ତ କହିଛନ୍ତି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅବସରରେ ଅନେକ ସଂଗଠନ ମନ୍ଦିର ପରିସରରେ ଭକ୍ତି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି। ଏହି ଅବସରରେ ବହୁ ସଂଖ୍ୟକ ଲୋକ ମନ୍ଦିରକୁ ଆସିବେ, ତେଣୁ ରାହୁଲ ଗାନ୍ଧିଙ୍କୁ ଅପରାହ୍ନ ୩ ଟା ପରେ ମନ୍ଦିରକୁ ଆସିବାକୁ କୁହାଯାଇଥିଲା ।