ବିଜେପିର ୪୦୦ ପାର୍ ନାରାକୁ ରାହୁଲଙ୍କ ଟାର୍ଗେଟ

‘ମ୍ୟାଚ୍ ଫିକ୍ସିଂ’ ହୋଇଛି: ରାହୁଲ ଗାନ୍ଧୀ

ବିଜେପିର ୪୦୦ ପାର୍ ନାରାକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ମ୍ୟାଚ୍ ଫିକ୍ସିଂ ବିନା ଦଳର ‘୪୦୦ ପାର୍ ନାରା ସମ୍ଭବ ନୁହେଁ’ ବୋଲି ରାହୁଲ ଗାନ୍ଧୀ କଟାକ୍ଷ କରି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ‘୪୦୦ ପାର୍’ କରିବା ପାଇଁ ପ୍ରଧାନମନ୍ତ୍ରୀ ‘ଅମ୍ପାୟାର’ ମଧ୍ୟ ଚୟନ କରି ରଖିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆୟୋଜନ ହୋଇଥିବା ରାଲିକୁ ସମ୍ବୋଧିତ କରି ଏପରି କହିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି, “ଇଭିଏମ୍, ମ୍ୟାଚ୍ ଫିକ୍ସିଂ, ସୋଶାଲ୍ ମିଡିଆ ଏବଂ ଗଣମାଧ୍ୟମ ଉପରେ ଚାପ ନପକାଇ ସେମାନେ (ବିଜେପି) ୧୮୦ରୁ ଅଧିକ ସିଟ୍ ଜିତି ପାରିବେ ନାହିଁ।” ଏବେ ଆଇପିଏଲ୍ ମ୍ୟାଚ୍ ଚାଲିଛି। ଯେତେବେଳେ ଅମ୍ପାୟାରଙ୍କ ଉପରେ ଚାପ ପଡ଼େ, ଖେଳାଳି କିଣାଯାଏ ଏବଂ ଅଧିନାୟକଙ୍କୁ ମ୍ୟାଚ୍ ଜିତିବାକୁ ଧମକ ଦିଆଯାଏ, ଏହାକୁ କ୍ରିକେଟରେ ମ୍ୟାଚ୍ ଫିକ୍ସିଂ କୁହାଯାଏ। ଆମ ଆଗରେ ଲୋକସଭା ନିର୍ବାଚନ ଅଛି; ଅମ୍ପାୟାରମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଚୟନ କରାଯାଇଛି। ମ୍ୟାଚ୍ ପୂର୍ବରୁ ଆମ ଦଳର ଦୁଇ ଜଣ ଖେଳାଳିଙ୍କୁ ଗିରଫ କରାଯାଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।