ବଜେଟ ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଅଭିଭାଷଣ ରଖିଛନ୍ତି ମହମହିମ ରାଷ୍ଟ୍ରପତି

‘ନୂଆ ଭାରତ, ଶ୍ରେଷ୍ଠ ଭାରତ ପାଇଁ ଆହ୍ୱାନ’

ଆରମ୍ଭ ହେଲା ବଜେଟ ଅଧିବେଶନ। ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଅଭିଭାଷଣ ରଖିଛନ୍ତି ମହମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂଆ ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି ମହାମହିମ ରାଷ୍ଟ୍ରପତି । ଏହି ଅବସରରେ ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ୱାନ ଦେଇଛନ୍ତି । ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇ ସାରିଛି । ବହୁ ଲୋକଙ୍କ ଧୈର୍ଯ୍ୟ, ପ୍ରତୀକ୍ଷା, ତପସ୍ୟାର ଅବସାନ ଘଟିଛି । ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି । ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି । ୩ ତଲାକ୍ ବିଲ୍ ମଧ୍ୟ ଆଇନରେ ପରିଣତ ହୋଇଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପଂକ୍ତିକୁ ଉଦ୍ଧାର କରି ରାଷ୍ଟ୍ରପତି ଓଡ଼ିଆରେ କହିଛନ୍ତି.. ‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’… ସରକାର ୱାନ୍ ରାଙ୍କ, ୱାନ୍ ପେନସନ୍ ଲାଗୁ କରିବା କଥା ମଧ୍ୟ ଗୃହରେ ଉପସ୍ଥାପନ କରିଛନ୍ତି ରାଷ୍ଟ୍ରପତି ।
ଅର୍ଥନୀତିକୁ ନେଇ ଗୋଲାପୀ ସ୍ୱପ୍ନ ଦେଖାଇଛନ୍ତି ମହାମହିମ । ୨୫ କୋଟି ଦେଶବାସୀ ଗରିବୀରୁ ବାହାରକୁ ବାହାରିଛନ୍ତି ବୋଲି କହିଛନ୍ତି । ପୁରା ଭାରତବର୍ଷରେ ୧ କୋଟି ୪୦ ଲକ୍ଷ ଲୋକ GST ଦେଉଛନ୍ତି । ୮ କୋଟି ଲୋକ ITR ଦାଖଲ କରୁଛନ୍ତି ହୋଲି କହିଛନ୍ତି ରାଷ୍ଟ୍ରପତି । ଯୁବଶକ୍ତିଙ୍କ ଅଦ୍ୟମ ଇଚ୍ଛା ଓ କିଛି କରି ଦେଖାଇବାର ସାହସ ବଳରେ ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ ୫ରେ ପହଞ୍ଚି ପାରିଛି । ପୂର୍ବ ତୁଳନାରେ FDI ଦୁଇ ଗୁଣା ହୋଇଛି । ଭୁଶୁଡ଼ି ପଡ଼ିଥିବା ବ୍ୟାକିଂ ସିଷ୍ଟମ ଆଜି ବିଶ୍ୱରେ ସବୁଠୁ ଶକ୍ତିଶାଳୀ ବୋଲି କହିଛନ୍ତି ରାଷ୍ଟ୍ରପତି । ଭାରତ ବିଶ୍ୱର ସବୁଠୁ ବଡ଼ ମୋବାଇଲ୍ ଉତ୍ପାଦନକାରୀ ରାଷ୍ଟ୍ର । ଆଜି ୧ ଲକ୍ଷରୁ ଅଧିକ ଷ୍ଟାର୍ଟ ଅପ୍ ବ୍ୟବସ୍ଥା କାମ କରୁଛି । ମେକ୍ ଇନ୍ ଇଣ୍ଡିଆ ସବୁଠୁ ବଡ଼ ଅଭିଯାନ ପାଲଟିଛି । ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍‌ରେ ଲଗାତାର ସୁଧାର ହୋଇଛି । MSMEର ପରିଭାଷା ବିସ୍ତାରିତ, ୫ ଲକ୍ଷ କୋଟିର ଗ୍ୟାରେଣ୍ଟି ଦିଆଯାଇଛି । ୭୦ ହଜାରରୁ ଊର୍ଦ୍ଧ୍ୱ ଅମୃତ ସରୋବର ହୋଇଛି । ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଘୋଷଣା ହୋଇଛି । ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇପାରିଛି । ଐତିହାସିକ ଜି-୨୦ ସମ୍ମିଳନୀ ଆଯୋଜନ କରିଛି ଭାରତ । ପ୍ରଥମ ଥର ଏସୀୟ କ୍ରୀଡ଼ାରେ ଶହେ ପଦକ ଜିତିଛି । ବିଶ୍ୱରେ ପ୍ରଥମ 5G ରାଷ୍ଟ୍ର ଭାବେ ଖ୍ୟାତି ଅର୍ଜନ କରିଛି । ସରକାର ଲକ୍ଷାଧିକ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ୩ ଦଶନ୍ଧି ବାଦ୍ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାଇଁ ସମସ୍ତଙ୍କୁ ବଧାଇ ଜଣାଇଛନ୍ତି ରାଷ୍ଟ୍ରପତି ।

ଆୟୁଷ୍ମାନ ଭାରତରେ ୫୩ କୋଟି ଭାରତୀୟଙ୍କ ଆଇଡି ବନିଛି । ଏୟାରପୋର୍ଟ ସଂଖ୍ୟା ୭୪ରୁ ବଢ଼ି ୧୪୯ ହୋଇଛି । ୨ ଲକ୍ଷ ପଞ୍ଚାୟତକୁ ଅପ୍ଟିକାଲ ସଂଯୋଗ ହୋଇଛି । ୧୦ ହଜାର କିମି ଗ୍ୟାସ୍ ପାଇପ୍ ଲାଇନ୍ ବଢ଼ିଛି । ୫ ସହରର ମେଟ୍ରୋ ସୁବିଧା ୨୫ ସହରକୁ ବଢ଼ିଛି । ରେଲୱେ ବିଦ୍ୟୁତକରଣ ଶହେ ପ୍ରତିଶତର ନିକଟତର ହୋଇପାରିଛି । ୧୩୦୦ ଷ୍ଟେସନର କାୟାକଳ୍ପ ସ୍ଥିର ହୋଇଛି । କରୋନା କାଳରୁ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି । ଆହୁରି ୫ ବର୍ଷ ପାଇଁ ଏହାକୁ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ମହାମହିମ । ଯୁବକ, ନାରୀ, ଚାଷୀ, ଗରିବ ବିକାଶର ୪ଟି ସ୍ତମ୍ଭ ବୋଲି ଦୋହରାଇଛନ୍ତି ରାଷ୍ଟ୍ରପତି । କୃଷି କ୍ଷେତ୍ରକୁ ନେଇ ରାଷ୍ଟ୍ରପତି କହିଛନ୍ତି, ମତ୍ସ୍ୟ ଉତ୍ପାଦନ ୨ ଗୁଣା ବୃଦ୍ଧି ପାଇଛି । ୯୫ ଲକ୍ଷ ମେଟ୍ରିକ ଟନ୍‌ରୁ ବଢ଼ି ୧୭୫ ଲକ୍ଷ ମେଟ୍ରିକ ଟନ୍ ହୋଇଛି । ୪ କୋଟି ପଶୁଙ୍କୁ ଟିକାକରଣ ହୋଇଛି । ବିଶ୍ୱକର୍ମା ଯୋଜନାରେ ୮୪ ଲକ୍ଷ ଲୋକ ଯୋଡ଼ି ହୋଇଛନ୍ତି । ଫୁଟପାଥ ଲୋକଙ୍କ ପାଇଁ ପିଏମ୍ ସ୍ୱନିଧି ଯୋଜନା ହୋଇଛି । ଶହେ ଆକାଂକ୍ଷୀ ଜିଲ୍ଲାରେ ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବା ସହ ଉଜ୍ଜ୍ୱଳା ପାଇଁ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୧ କୋଟି ଲୋକଙ୍କ ଘରେ ନଳ ଯୋଗେ ଜଳ ପହଞ୍ଚିଛି । ଏଥର ସାଧାରଣତନ୍ତ୍ର ଦିବସରେ ଦୁନିଆ ନାରୀ ଶକ୍ତି ଦେଖିଛି । ୩ ସେନା ବାହିନୀରେ ନାରୀ ଶକ୍ତି ପ୍ରଦର୍ଶନ କରିଛନ୍ତି । ୨ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ପାଇଁ ଉଦ୍ୟମ ଚାଲିଛି ।