‘କହିଲେ ଯୋଗ ପ୍ରତି ଆକର୍ଷିତ ହେଉଛି ବିଶ୍ୱ’
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏଥରର ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଦେଶ, ବିଦେଶ ଓ ରାଜ୍ୟସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଶ୍ରୀନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଶ୍ରୀନଗର SKICC ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରାୟ ୭ ହଜାର ଲୋକଙ୍କ ସହ ଏକତ୍ର ଯୋଗ କରିଛନ୍ତି ମୋଦି। ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଯୋଗର ମହତ୍ତ୍ୱ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ନିଜ ପାଇଁ ଏବଂ ସମାଜ ପାଇଁ । ଯୋଗ ପ୍ରତି ସାରା ବିଶ୍ବ କିପରି ଆକର୍ଷିତ ହୋଇଛି ସେନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଦିନକୁ ଦିନ ଅଧିକରୁ ଅଧିକ ଲୋକ ଯୋଗାଭ୍ୟାସ କରୁଛନ୍ତି। ଯୋଗ ପ୍ରତି ଆକର୍ଷଣ ବଢ଼ିବାରେ ଲାଗିଛି। ଯୋଗ ବିଷୟରେ ଅନୁଧ୍ୟାନ ପାଇଁ ବିଶ୍ୱରୁ ବହୁ ପର୍ଯ୍ୟଟକ ଭାରତ ଆସୁଛନ୍ତି। ଆଜିକାଲି ତ ଲୋକେ ବ୍ୟକ୍ତିଗତ ଟ୍ରେନର ରଖିଲେଣି। ଯୋଗ ଯୁବପିଢିଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀନଗରରେ ଯୋଗ ମାଧ୍ୟମରେ ମିଳିଥିବା ଶକ୍ତି ଆମେ ଅନୁଭବ କରିପାରିବା। ଦେଶର ଲୋକ ତଥା ବିଶ୍ୱର କୋଣ ଅନୁକୋଣରେ ଯୋଗ ଅଭ୍ୟାସ କରୁଥିବା ବ୍ୟକ୍ତିଙ୍କୁ ମୁଁ ଯୋଗ ଦିବସର ଶୁଭେଚ୍ଛା ଜଣାଉଛି। ଆନ୍ତର୍ଜାତୀୟ ଯୋଗ ଦିବସ ୧୦ବର୍ଷର ଐତିହାସିକ ଯାତ୍ରା ସମାପ୍ତ କରିଛି। ୨୦୧୪ ରେ ଆନ୍ତର୍ଜାତୀୟ ଉତ୍ସବ ପାଳନ ନେଇ ପ୍ରସ୍ତାବ ଦେଇଥିଲି। ମିଳିତ ଜାତିସଂଘରେ ଭାରତର ଏହି ପ୍ରସ୍ତାବକୁ ୧୭୭ ଦେଶ ସମର୍ଥନ କରିଥିଲେ ଏବଂ ଏହା ଏକ ରେକର୍ଡ ଥିଲା।