ପଶ୍ଚିମବଙ୍ଗର ମାଲଦାରେ ମୋଦୀଙ୍କ ବିଶାଳ ଜନସଭା

‘ମୁଁ ପୂର୍ବ ଜନ୍ମରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲି’

‘ପଶ୍ଚିମବଙ୍ଗବାସୀଙ୍କ ଏତେ ଭଲ ପାଇବା ଦେଖି ମୋ’ ହୃଦୟ ତରଳି ଯାଉଛି। କାରଣ ଏତେ ଭଲ ପାଇବା ମୁଁ କେବେ ମୋ’ ଜୀବନରେ ପାଇନି। ଏପରି ଲାଗୁଛି ଯେପରି ପୂର୍ବ ଜନ୍ମରେ ମୁଁ ପଶ୍ଚିମ ବଙ୍ଗରେ ଜନ୍ମ ହୋଇଥିଲି, ନଚେତ ଆସନ୍ତା ଜନ୍ମରେ ପଶ୍ଚିମବଙ୍ଗର କେଉଁ ମା’ କୋଳରେ ଜନ୍ମ ହେବି। ’ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ଜନସଭାରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି, ଏପରି ଏକ ସମୟ ଥିଲା ଯେବେ ପଶ୍ଚିମବଙ୍ଗ ଭାରତର ବିକାଶର ଇଞ୍ଜିନ ଥିଲା। କିନ୍ତୁ ଏବେ ଆଉ ସେ ସମୟ ନାହିଁ। ପୂର୍ବରୁ ବାମ ଦଳ ଓ ଏବେ ତୃଣମୂଳ କଂଗ୍ରେସ ପାର୍ଟି ଏହି ରାଜ୍ୟର ମହାନତାକୁ ମାଟିରେ ମିଶାଇ ସାରିଲେଣି। ସେମାନଙ୍କ ଯୋଗୁ ରାଜ୍ୟର ବିକାଶ ଗାଡ଼ି ଠପ୍‌ ହୋଇ ଗଲାଣି।ମମତା ବାନାର୍ଜୀ ସରକାର ଅମଳରେ ରାଜ୍ୟର ବିକାଶଧାରା ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି। ମମତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏଠାରେ କେବଳ ଗୋଟିଏ ଘଟଣା ଘଟିଛି । ତାହା ହେଉଛି ହଜାରେ କୋଟିର ଦୁର୍ନୀତି। ଏଠାରେ ଏବେ କେବଳ ଭ୍ରଷ୍ଟାଚାରୀଙ୍କ ରାଜ୍‌ ଚାଲିଛି।