କୋଏମ୍ବଟୁରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’କୁ ମିଳିଲାନି ଅନୁମତି

ମୋଦୀଙ୍କ ରୋଡ ଶୋ’କୁ ମିଳିଲାନି ଅନୁମତି

କୋଏମ୍ବଟୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ଶୋ’କୁ ମିଳିଲାନି ଅନୁମତି । କୋଏମ୍ବଟୁର ପ୍ରଶାସନ ବିଜେପିକୁ ସେଠାରେ ରୋଡ ଶୋ’ ପାଇଁ ଅନୁମତି ଦେଇନାହିଁ । ଲୋକସଭା ନିର୍ବାଚନ ପାଇଁ ବିଜେପି କୋଏମ୍ବଟୁର ସିଟି ପୋଲିସକୁ ୧୮ ମାର୍ଚ୍ଚକୁ ମୋଦୀଙ୍କ ୩.୬ କିଲୋମିଟର ରୋଡ ଶୋ’ ପାଇଁ ଅନୁମତି ମାଗିଥିଲା । ହେଲେ ପୋଲିସ ପ୍ରଶାସନ ବିଭିନ୍ନ କାରଣ ଦର୍ଶାଇ ଏହାକୁ ଅନୁମତି ଦେଇନାହିଁ । ସୂଚନା ଅନୁସାରେ କୋଏମ୍ବଟୁର ପୋଲିସ ଏହି ରୋଡକୁ ଅନୁମତି ନଦେବାକୁ ଯାଇ ୪ ଗୋଟି ପ୍ରମୁଖ କାରଣ ଦର୍ଶାଇଥିଲା । ସୁରକ୍ଷାରେ ବିପଦ, କୋଏମ୍ବଟୁରର ସମ୍ପ୍ରାଦାୟିକ ଇତିହାସ, ସାଧାରଣ ଲୋକଙ୍କୁ ହେବାକୁ ଥିବା ଅସୁବିଧା, ରୋଡ ଶୋ’ ଯୋଗୁଁ ସ୍କୁଲ ପିଲାଙ୍କୁ ହେବାକୁ ଥିବା ଅସୁବିଧା ଯୋଗୁଁ ରୋଡ ଶୋ ଅନୁମତି ମିଳିନାହିଁ । ବିଜେପିର ପ୍ରସ୍ତାବିତ ରୋଡ ଶୋ’ ଆରଏସ ପୁରମରେ ଶେଷ ହେବ । ଆରଏସ ପୁରମ ସେହି ସ୍ଥାନ ଯେଉଁ ସ୍ଥାନରେ ସିଲସିଲେବାର ବିସ୍ଫୋରଣ ହୋଇଥିଲା । ଏହି ଘଟଣା ପାଇଁ ପ୍ରଶାସନ ସେହି ସ୍ଥାନରେ କୌଣସି ରାଜନୈତିକ ଦଳକୁ ରୋଡ ଶୋ ପାଇଁ ଅନୁମତି ଦେଇନାହିଁ ।