‘ଗଗନଯାନ’ରେ ମହାକାଶ ଯିବେ ୪ ମହାକାଶଚାରୀ
‘ଗଗନଯାନ’ରେ ମହାକାଶ ଯିବେ ୪ ମହାକାଶଚାରୀ । ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରେ ନାଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ । ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକୃଷ୍ଣ ନାୟାର, ଗ୍ରୁପ୍ କ୍ୟାପ୍ଟେନ୍ ଅଜିତ୍ କ୍ରିଷ୍ଣନ୍ ଯିବେ ମହାକାଶ । ଗ୍ରୁପ୍ କ୍ୟାପ୍ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା ମଧ୍ୟ ଉକ୍ତ ଟିମରେ ସାମିଲ ଅଛନ୍ତି । ୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ୪ ମହାକାଶଚାରୀଙ୍କ ନାଁ ଘୋଷଣା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ୪ ଜଣ କେବଳ ବ୍ୟକ୍ତି ନୁହଁନ୍ତି, ୧୪୦ କୋଟି ଲୋକଙ୍କ ଶକ୍ତି । ଭାରତର ନାଁକୁ ମହାକାଶକୁ ନେଇଯିବାର ଶକ୍ତି ଏହି ୪ ଜଣ । ମହାକାଶଚାରୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନେ ହିଁ ଆଜିର ଭାରତର ବିଶ୍ୱାସ, ଆଜିର ଭାରତର ଶୌର୍ଯ୍ୟ । ପ୍ରଥମ ଥର ପାଇଁ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବ । ସାରା ଦେଶର ଶୁଭେଚ୍ଛା, ଶୁଭକାମନା ଆପଣମାନଙ୍କ ସହ ରହିଛି ବୋଲି ଏହି ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ । ୪ ମହାକାଶଚାରୀ ଓ ସେମାନଙ୍କ ପରିବାରକୁ ଦେଶବାସୀ ସହଯୋଗ କରନ୍ତୁ ବୋଲି କହିଛନ୍ତି ମୋଦି । ଗଗନଯାନରେ ବ୍ୟବହୃତ ଅଧିକାଂଶ ଉପକରଣ ଭାରତରେ ନିର୍ମିତ । ମହିଳା ବୈଜ୍ଞାନିକଙ୍କ ବିନା ଏଭଳି କୌଣସି ମିଶନର କଳ୍ପନା କରିହେବନି । ISROର ସଫଳତା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଉଛି । ISROରେ କାମ କରିବାକୁ ଆଜି ଲକ୍ଷ ଲକ୍ଷ ପିଲାଙ୍କ ବଡ଼ ସ୍ୱପ୍ନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଉ କିଛି ଦିନ ମଧ୍ୟରେ ଆମେ ପୁଣି ଥରେ ଚନ୍ଦ୍ରକୁ ଯାଉଛେ ବୋଲି କହିଛନ୍ତି ମୋଦି । ଚନ୍ଦ୍ରରୁ ସାମ୍ପଲ ସଂଗ୍ରହ କରି ତାକୁ ପୃଥିବୀ ପୃଷ୍ଠକୁ ଆଣିବୁ । ଚନ୍ଦ୍ରଭଳି ମିଶନ ଶୁକ୍ର ମଧ୍ୟ ଆରମ୍ଭ କରାଯିବ କହିଲେ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ୨୦୩୫ ସୁଦ୍ଧା ଭାରତର ନିଜର ସ୍ପେଶ୍ ଷ୍ଟେସନ ଥିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।