ସୁପ୍ରିମକୋର୍ଟରେ ‘କୋଭିଶିଲ୍ଡ’ ମାମଲା

ସୁପ୍ରିମକୋର୍ଟରେ ‘କୋଭିଶିଲ୍ଡ’ ମାମଲା, ତଦନ୍ତ ଦାବି

କରୋନା ଟିକା କୋଭିଶିଲ୍ଡର ସାଇଡ୍‌ ଇଫେକ୍ଟ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ପେସାରେ ଓକିଲ ଥିବା ବିଶାଲ ତିୱାରୀ ନାମକ ଜଣେ ବ୍ୟକ୍ତି କୋଭିଶିଲ୍ଡ ଟିକା ସମ୍ପର୍କରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କୋଭିଶିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଏହାର ବିପଦର ଅନୁସନ୍ଧାନ ପାଇଁ ପୂର୍ବତନ ଡାଇରେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ ମେଡିକାଲ୍ ଏକ୍ସପର୍ଟ ପ୍ୟାନେଲ୍ ଗଠନ କରିବାକୁ ସେ ଦାବି କରିଛନ୍ତି। ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସବୁ କରାଯିବା ଉଚିତ୍ ବୋଲି ମଧ୍ୟ ସେ ନିଜ ଆବେଦନରେ କହିଛନ୍ତି। କୋଭିଶିଲ୍ଡ ଟିକାର ସାଇଡ୍‌ ଇଫେକ୍ଟ ଓ ଏହାର ବିପଦ କାରକଗୁଡିକର ଯାଞ୍ଚ କରିବା ଏବଂ ଟିକା ଦ୍ୱାରା ହୋଇଥିବା କ୍ଷତି ନିର୍ଣ୍ଣୟ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଛି। କେବଳ ଏତିକି ନୁହେଁ, ଏହି ଟିକା ନେବା ପରେ ଯେଉଁମାନେ ଅକ୍ଷମ ହୋଇଯାଇଛନ୍ତି କିମ୍ବା ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦିଆଯିବା ଉଚିତ୍ ବୋଲି ଏହି ଆବେଦନରେ କୁହାଯାଇଛି।