ନାବାଳିକାଙ୍କୁ କାମ କରାଇବା ପଡିଲା ମହଙ୍ଗା
ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ବଡ଼ ଘଟଣା ଘଟିଛି। ଜଣେ ମହିଳା ପାଇଲଟ ଓ ତାଙ୍କ ସ୍ୱାମୀଙ୍କୁ ସ୍ଥାନୀୟ ଲୋକମାନେ ଘର ଭିତରୁ ଘୋଷାଡ଼ି ଆଣି ପ୍ରବଳ ମାଡ଼ ମାରିଛନ୍ତି। ଏହି ଦମ୍ପତି ସେମାନଙ୍କ ଘରେ କାମ କରୁଥିବା ଜଣେ ୧୦ ବର୍ଷୀୟ ଝିଅକୁ ଅକଥନୀୟ ନିର୍ଯାତନା ଦେଉଥିଲେ। ଏଥିପାଇଁ ଦମ୍ପତିଙ୍କୁ ସ୍ଥାନୀୟ ମହିଳା ଓ ପୁରୁଷମାନେ ପ୍ରବଳ ପିଟିଛନ୍ତି । ଏହି ଘଟଣାର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ମାଡ଼ ଖାଇଥିବା ମହିଳା ଜଣଙ୍କ ପାଇଲଟ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୋଟିଏ ଏୟାରଲାଇନର କର୍ମଚାରୀ । ସାମ୍ନାକୁ ଆସିଥିବା ଭିଡିଓରେ, ମହିଳା ପାଇଲଟ ଜଣଙ୍କ ତାଙ୍କ ୟୁନିଫର୍ମରେ ରହିଛନ୍ତି। ଏହି ସମୟରେ କିଛି ମହିଳା ତାଙ୍କୁ ଘର ଭିତରୁ ଚୁଟି ଧରି ଘୋଷାଡ଼ି ଆଣିବା ସହ ରାସ୍ତା ଉପରେ ପ୍ରବଳ ପିଟୁଛନ୍ତି। ସ୍ୱାମୀ ଏଥିରେ ହସ୍ତକ୍ଷେପ କରିବାରୁ ତାଙ୍କୁ ମଧ୍ୟ ଉପସ୍ଥିତ ଥିବା ପୁରୁଷ ଲୋକମାନେ ମାଡ଼ ମାରିଛନ୍ତି।