ଆଜିଠୁ ସଂସଦର ବଜେଟ୍ ଅଧିବେଶନ

କାଲି ଆସିବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ

ଆଜିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୬ ଟି କାର୍ୟ୍ୟଦିବସ ରହିଛି। ଆସନ୍ତାକାଲି ଦେଶର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ତା’ପୂର୍ବରୁ ଆଜି ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପିତ ହେବ।

କାଲି ଆସିବ ସାଧାରଣ ବଜେଟ୍ । ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥର ବଜେଟରେ ହାଲୁକା ହେବ କି ଆୟକର ବୋଝ ? ମଧ୍ୟବିତ୍ତ ଓ ବେତନଭୋଗୀଙ୍କୁ ମିଳିବ କି ‘ଟିକସ’ ଆଶ୍ୱସ୍ତି ? କାଲି ଖୋଲିବ ନିର୍ମଳାଙ୍କ ‘ବଜେଟ୍’ ପେଡ଼ି । ମୋଦି ସରକାର ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବାକୁ ଥିବା ବେଳେ, ସଂସଦରେ ସର୍ବାଧିକ ସପ୍ତମ ଥର ପାଇଁ ଏହାକୁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର ବଜେଟ୍ ଉପରେ ସାରା ଦେଶର ନଜର ଥିବା ବେଳେ, ଆୟକରରେ କିଛି ଆଶ୍ୱସ୍ତି ମିଳିପାରେ ବୋଲି ଆଶାବାଦୀ ଅଛନ୍ତି ମଧ୍ୟବିତ୍ ଓ ବେତନଭୋଗୀ ।

ଗତବର୍ଷର ବଜେଟରେ ଆୟକରଦାତାଙ୍କୁ ଆଶ୍ୱସ୍ତି ଦେଇଥିଲେ ନିର୍ମଳା । ନୂଆ ରେଜିମ୍‌ରେ ବାର୍ଷିକ ୭ ଲକ୍ଷ ଟଙ୍କା ଆୟ ପାଇଁ କୌଣସି ଟିକସ ଦେବାକୁ ପଡ଼ୁନଥିଲା । ହେଲେ ପୁରୁଣା ରେଜିମ୍ ଯଥାବତ୍ ରହିଥିଲା । ତେବେ ଏଥର ଉଭୟ ବ୍ୟବସ୍ଥାରେ ଆୟକର ଛାଡ଼ ସୀମା ବୃଦ୍ଧି ସହ ଟିକସ ହାର କୋହଳ ହେଉ ବୋଲି ମତ ରଖିଛନ୍ତି ଅର୍ଥନୀତି ବିଶାରଦ । ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି ସହ, ୮୦ ଉ ଅଧୀନରେ ଦେଢ଼ ଲକ୍ଷ ଟଙ୍କାର ଡିଡକ୍ସନ ଆହୁରି ବଢ଼ିବା ଦରକାର ବୋଲି କହିଛନ୍ତି ।
ଡାଲି, ଚାଉଳ, ଆଳୁ, ପିଆଜ ଓ ପରିବାଠୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ । ସବୁଥିରେ ଦର ବଢ଼ି ଚାଲିଛି । ତେଣୁ ଗତ ୧୦ ବର୍ଷରେ ବଢ଼ିଥିବା ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି, ଏଥର ସାଧାରଣ ଖାଉଟିଙ୍କ ପକେଟକୁ ସୁହାଇଲା ଭଳି ବଜେଟ୍ ହେଉ ବୋଲି ଆଶା ରଖିଛନ୍ତି ଗୃହିଣୀ ଓ ଆୟକରଦାତା । ତେଣୁ ଟ୍ୟାକ୍ସ ସ୍ଲାବରେ ସଂସ୍କାର ଜରୁରୀ ବୋଲି ମତ ପ୍ରକାଶ ପାଉଛି । ତେବେ ଆୟକର ସ୍ଲାବ।ରେ ସଂସ୍କାର ଆଣି, ଆୟକର ଛାଡ଼ ସୀମା ୫ ଲକ୍ଷକୁ ବୃଦ୍ଧି କରିବା ପାଇଁ ଦାବି କରିଛି ଅଲ୍ ଇଣ୍ଡିଆ ଫେଡେରେସନ ଅଫ୍ ଟ୍ୟାକ୍ସ ପ୍ରାକ୍ଟିସନର୍ସ । ଆୟକର ସ୍ଲାବକୁ ୫ ରୁ ୧୦ ଲକ୍ଷ ପାଇଁ ୧୦ ପ୍ରତିଶତ, ୧୦ ରୁ ୨୦ ଲକ୍ଷ ପାଇଁ ୨୦ ପ୍ରତିଶତ ଓ ୨୦ ଲକ୍ଷରୁ ଅଧିକ ପାଇଁ ୨୫ ପ୍ରତିଶତ କରିବାକୁ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଛି ଏଆଇଏଫଟିପି । ଏପଟେ ଦରଦାମ ହ୍ରାସ ଦିଗରେ ସରକାର ବଜେଟରେ ବ୍ୟବସ୍ଥା କଲେ, ସାଧାରଣ ବର୍ଗଙ୍କ ସଞ୍ଚୟ ଆଉ ସଂକୁଚିତ ନ ହୋଇ ବୃଦ୍ଧି ପାଇପାରିବ ବୋଲି ଅର୍ଥନୀତି ବିଶାରଦ ଆଶା ରଖିଛନ୍ତି।