ବେଙ୍ଗାଳୁରୁରେ ବିରୋଧୀଙ୍କ ମହାମେଳି !

ଚାଲିଛି ବିରୋଧୀଙ୍କ ମହାମେଳି । ବିଜେପିକୁ ମାତ ଦେବାକୁ ଆରମ୍ଭ କରିଛନ୍ତି ମାଷ୍ଟର ପ୍ଳାନ । ଆଜିଠୁ ବେଙ୍ଗାଳୁରୁରେ ବିରୋଧୀ ଦଳଙ୍କ ଦୁଇଦିନିଆ ମହାମେଳି ଦେଖିବାକୁ ମିଳିଛି । ବିଜେପି ବିରୋଧରେ ରଣନୀତି କରିବେ ଅଣ ଏନଡିଏ ଦଳ । ଏହି ବୈଠକକୁ କଂଗ୍ରେସ ଆୟୋଜନ କରୁଥିବା ଦେଖିବାକୁ ମିଳିଛି ।

ଏଥିରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଯୋଗ ଦେଉଥିବାବେଳେ ସୋନିଆଙ୍କ ତରଫରୁ ଏକ ରାତ୍ରଭୋଜନର ଆୟୋଜନ କରାଯାଉଛି । ବୈଠକକୁ ୨୪ଟି ବିରୋଧୀ ଦଳଙ୍କୁ ଆମନ୍ତ୍ରଣ କରାଯାଇଛି । ପୂର୍ବ ବୈଠକରେ ଯୋଗ ଦେଇନଥିବା ଏମଡିଏମକେ, କେଡିଏମକେ, ଭିସିକେ, ଆରଏସପି, ଫରୱାର୍ଡ ବ୍ଲକ୍‌, ଆଇୟୁଏମଏଲ ଭଳି ଦଳ ସାମିଲ ହୋଇପାରନ୍ତି । ବୈଠକରେ ଆପ ମଧ୍ୟ ଯୋଗଦେବ ବୋଲି ସୂଚନା ମିଳିଛି ।

ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଆପକୁ କଂଗ୍ରେସର ସମର୍ଥନ ପରେ ବୈଠକରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି ଆପ । ୨୦୨୪ ନିର୍ବାଚନରେ ବିଜେପିକୁ କିପରି ମାତ ଦିଆଯିବ ସେନେଇ ବୈଠକରେ ମାନସମନ୍ଥନ କରିବେ ବିରୋଧୀ ଦଳ । ଶତ୍ରୁର ଶତ୍ରୁ ଆମର ମିତ୍ର ନ୍ଯାୟରେ ଏହି ବୈଠକ ବା ମହାମେଳି ଚାଲିଥିବା ବେଳେ ଆଗକୁ କେଉଁ ପନ୍ଥା ଅପଣାଉଛନ୍ତି ବିରୋଧୀ ତାହା ଦେଖିବାକୁ ଅପେକ୍ଷା ।