ଆରମ୍ଭ ହେଲା ଅପରେସନ୍ ‘ଅଜୟ’

ଦେଶକୁ ଫେରିବେ ଇସ୍ରାଏଲରେ ଫସିଥିବା ଭାରତୀୟ !

ଆରମ୍ଭ ହେଲା ଅପରେସନ୍ ଅଜୟ। ଇସ୍ରାଏଲ ଉପରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହାମାସର ଆକ୍ରମଣ ପରେ ଆଜିକୁ ମିଶାଇ ପଞ୍ଚମ ଦିନ ଧରି ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ପାଲେଷ୍ଟାଇନକୁ ମୁହଁତୋଡ ଜବାବ ଦେଇଥିବାବେଳେ ଘନ ଘନ ରକେଟ ମାଡ କରୁଛି | ଏହାରି ଭିତରେ ଇସ୍ରାଏଲରେ ରହୁଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅପରେସନ୍ ଅଜୟ ଆରମ୍ଭ କରାଯାଇଛି | ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଯେଉଁ ଭାରତୀୟ ନାଗରିକମାନେ ଇସ୍ରାଏଲରୁ ଭାରତ ଫେରିବାକୁ ଇଚ୍ଛୁକ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚାଟର୍ ଫ୍ଲାଇଟ୍ ଓ ଅନ୍ୟ ବନ୍ଦୋବସ୍ତ କରାଯାଇଥିବା ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।

ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଲାଗି ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।ସୁଚନାନୁସାରେ ଯେ, ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ ଆରମ୍ଭ ହେବା ପରେ ଗତ ରବିବାର ଠାରୁ ତେଲଅଭିଭକୁ ବନ୍ଦ ରହିଛି ଏୟାରଇଣ୍ଡିଆ ବିମାନ ଚଳାଚଳ ।ପୂର୍ବରୁ ମଧ୍ୟ ବିଭିନ୍ନ ଦେଶରେ ଯୁଦ୍ଧସ୍ଥିତି ବେଳେ ଭାରତୀୟଙ୍କୁ ଉଦ୍ଧାର ଲାଗି ବିଭିନ୍ନ ଅପରେସନ ସଫଳ ହୋଇଥିଲା । ଆଫଗାନିସ୍ତାନରୁ ଅପରେସନ ଦେବୀ ଶକ୍ତି, ୟୁକ୍ରେନରୁ ଅପରେସନ ଗଙ୍ଗା ଏବଂ ସୁଦାନରୁ ଅପରେସନ କାବେରୀ ଜରିଆରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ଆଉ ଏବେ ଇସ୍ରାଏଲରୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ ଅଜୟ । ଅନ୍ୟପଟେ ଇସ୍ରାଏଲରେ କୋଡିଏ ହଜାରରୁ ଅଧିକ ଭାରତୀୟ ଅଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଆଇଟି ପ୍ରଫେସନାଲ ଏବଂ ଛାତ୍ର ଥିବାବେଳେ ଇସ୍ରାଏଲରେ ପ୍ରାୟ ୮୫୦୦୦ ଭାରତୀୟ ମୂଳ ଇହୁଦୀ ଅଛନ୍ତି |