ରାହୁଲଙ୍କ ଅଫିସକୁ ଏଏମ୍-ପିଏମ୍ ଭିତରେ ତଫାତ, ପିଏମ୍ଓ କିଭଳି ଚଳାଇବେ: ପ୍ରଣବ ମୁଖାର୍ଜୀ
ଥମିବାର ନାଁ ନେଉନାହିଁ କଂଗ୍ରେସର ଅଡ଼ୁଆ। ପ୍ରଥମେ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଦଳକୁ କଟାକ୍ଷ କରିବା ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ନିଜର ପୁସ୍ତକରେ ଦଳକୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ ତାଙ୍କ ପୁସ୍ତକ ‘ଇନ୍ ପ୍ରଣବ, ମାଇଁ ଫାଦର: ଏ ଡଟର ରିମେମ୍ବର୍ସ’ରେ ଏକ ଏମିତି କଥା ଲେଖିଛନ୍ତି ଯାହା କେହି କେବେ ଜାଣିନଥିବେ । ସେ ତାଙ୍କ ବହିରେ କଂଗ୍ରେସ ଏବଂ ତାଙ୍କ ବାପା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନେଇ ଅନେକ ଗୋପନ କଥା ଲେଖିଛନ୍ତି । ପୁସ୍ତକରେ ଶର୍ମିଷ୍ଠା ଲେଖିଛନ୍ତି, ଦିନେ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନରେ ପ୍ରାତଃ ଭ୍ରମଣ କରୁଥିଲେ। ତାଙ୍କୁ ପୂଜାପାଠ ଏବଂ ପ୍ରାତଃଭ୍ରମଣ କରିବା ସମୟରେ କେହି ତାଙ୍କୁ ବ୍ୟାଘାତ ଦେଲେ ସେ ଆଦୌ ବରଦାସ୍ତ କରୁ ନ ଥିଲେ। କିନ୍ତୁ ସେହି ସମୟରେ ହିଁ ରାହୁଲ ତାଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ରାହୁଲ ପ୍ରଣବଙ୍କୁ ସନ୍ଧ୍ୟାରେ ଭେଟିବା ପାଇଁ ସମୟ ନେଇଥିଲେ। ରାହୁଲଙ୍କ ଟିମ୍ ଭୁଲବଶତଃ ସନ୍ଧ୍ୟା ବଦଳରେ ସକାଳେ ମିଟିଂ ଥିବା କହିଥିଲେ। ଫଳରେ ସେ ସକାଳେ ଯାଇ ମୋଗଲ ଗାର୍ଡେନରେ ସାକ୍ଷାତ କରିଥିଲେ। ଏହି ବିଷୟରେ ଶର୍ମିଷ୍ଠା ବାପାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ, ଯଦି ଏଏମ୍ (ଏଣ୍ଟିମେରିଡିୟମ୍) ଏବଂ ପିଏମ୍ (ପୋଷ୍ଟ୍ ମେରିଡିୟମ୍)ର ପ୍ରଭେଦ ରାହୁଲଙ୍କ ଅଫିସକୁ ଜଣାନାହିଁ, ତେବେ ଦିନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କିପରି ଚଳାଇବେ?