ବିରୋଧୀଙ୍କୁ ଅର୍ଥମନ୍ତ୍ରୀଙ୍କ ଜବାବ

‘୨୦୦୯ ବଜେଟ୍‌ରେ ୨୬ ରାଜ୍ୟର ନାଁ ନିଆଯାଇନଥିଲା’

ବିରୋଧୀଙ୍କୁ ଅର୍ଥମନ୍ତ୍ରୀଙ୍କ ଜବାବ। କେନ୍ଦ୍ର ବଜେଟ୍‌ ପ୍ରସଙ୍ଗରେ ବିରୋଧୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଛନ୍ତି ନିର୍ମଳା ସୀତାରମଣ। ବିଜେପି କେବଳ ଏହାର ମେଣ୍ଟ ସହଯୋଗୀ ତଥା ବିହାରରେ ଜେଡିୟୁ ଏବଂ ଆନ୍ଧ୍ରପ୍ର‌ଦେଶରେ ଟିଡିପିକୁ ସୁହାଇବା ଭଳି ବଜେଟ୍‌ ଆଣିଛି ବୋଲି ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି। ଲୋକସଭାରେ ବଜେଟ୍‌ ଆଲୋଚନାରେ ସୀତାରମଣ କହିଛନ୍ତି, କେବଳ ଗୋଟିଏ ରାଜ୍ୟର ନାଁ ନିଆନଯିବା ମାନେ ନୁହେଁ ଯେ ବଜେଟ୍‌ରେ ଏହାକୁ କିଛି ମିଳିନାହିଁ। ଉପା ସରକାର ସମୟରେ ବଜେଟ୍‌ ଉପସ୍ଥାପନର ଉଦାହରଣ ଦେଇ ସେ କହିଛନ୍ତି, ୨୦୦୯-୧୦ ବଜେଟ୍‌ ଉପସ୍ଥାପନ ବେଳେ ୨୬ ରାଜ୍ୟର ନାଁ ନିଆଯାଇନଥିଲା। ୨୦୦୪-୦୫ ବଜେଟ୍‌ ଭାଷଣରେ ବି ୧୭ ରାଜ୍ୟର ନାଁ ନିଆଯାଇନଥିଲା। ଏହି ସବୁ ରାଜ୍ୟକୁ କ’ଣ କିଛି ଟଙ୍କା ମିଳିନଥିଲା। ଯଦି ସେମାନେ ଟଙ୍କା ବନ୍ଦ କରିଦେଇଥିବେ ତେବେ ସେମାନେ ଏହି ପ୍ରସଙ୍ଗ ଉଠାଇପାରିବେ।

ନିର୍ମଳା କହିଛନ୍ତି, ୨୦୦୫-୦୬ ବଜେଟ୍‌ରେ ୧୮ ରାଜ୍ୟର ନାଁ ନିଆଯାଇନଥିଲା ଏବଂ ୨୦୦୭-୦୮ରେ ୧୬ ରାଜ୍ୟର ନାଁ ନିଆଯାଇନଥିଲା। ୨୦୦୯-୧୦ ପୂର୍ଣ୍ଣକାଳୀନ ବଜେଟ୍‌ରେ ମଧ୍ୟ ୨୦ ରାଜ୍ୟର ନାଁ ନିଆଯାଇନଥିଲା। ନିଯୁକ୍ତି ପ୍ରସଙ୍ଗରେ ବି‌ରୋଧୀଙ୍କୁ ନିର୍ମଳା ଜବାବ ଦେଇଛନ୍ତି। ସେ କହିଛନ୍ତି, ଉପା ସରକାର ସମୟରେ କେବଳ ୨କୋଟି ନିଯୁକ୍ତି ସୃଷ୍ଟି କରାଯାଇଥିଲା। କିନ୍ତୁ ୧୦ ବର୍ଷର ଏନଡିଏ ସରକାରରେ ୧୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ବି‌ରୋଧୀମାନେ କୃଷକଙ୍କୁ ନେଇ ରାଜନୀତି କରୁଛନ୍ତି। କଂଗ୍ରେସ କେବଳ କୃଷକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି। ସେହିଭଳି ମୁଦ୍ରାସ୍ଫୀତି ପ୍ରସଙ୍ଗରେ ମଧ୍ୟ ନିର୍ମଳା କଂଗ୍ରେସ ଓ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ।

Leave a Reply

Your email address will not be published. Required fields are marked *