ହିମାଞ୍ଚଳରେ ପ୍ରକୃତିର ମହାପ୍ରଳୟ !

ବାଦଲଫଟା ବର୍ଷା ସାଙ୍ଗକୁ ଭୁସ୍ଖଳନ ନେଲାଣି ୫୦ରୁ ଊର୍ଦ୍ଧ୍ଵ ଜୀବନ !

ଧ୍ଵଂସ ହେବ କି ପୃଥିବୀ ? ଏ କଥା ଆମେ ଏଇଥି ପାଇଁ କହୁଛୁ କି ହିମାଞ୍ଚଳରେ ଘଟୁଥିବା ପ୍ରକୃତିର ତାଣ୍ଡବ ସଭିଙ୍କୁ ସ୍ତବ୍ଧ କରିଛି । ପ୍ରକୃତିର କରାଳତା ଯେ ଏତେ ଭୟଙ୍କର ହୋଇପାରେ ତାହା ନ ଦେଖିଲେ ବିଶ୍ବାସ ହେବନି । ତୁହାକୁ ତୁହା ବାଦଲଫଟା ବର୍ଷା ସାଙ୍ଗକୁ ଭୁସ୍ଖଳନ ସବୁ ଯେମିତି ନିମିଷକ ମଧ୍ୟରେ ଧ୍ଵଂସ ହୋଇଯିବ । ଗତ କାଲିଠୁ ଆଜି ଯାଏଁ ଲଗାତର ଭୁସ୍ଖଳନ ଓ ବାଦଲଫଟା ବର୍ଷା ଯୋଗୁଁ ଗଲାଣି ପ୍ରାୟ ୫୦ରୁ ଅଧିକ ଜୀବନ । ଶତାଧିକ ଲୋକେ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି ।

ସେପଟେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ୭୫୨ ରାସ୍ତା ବନ୍ଦ ରହିଛି । କାଲକା-ଶିମଲା ରେଲୱେ ଟ୍ରାକ୍ ମଧ୍ୟ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି ।ତେବେ ଆହୁରି ୨୪ଘଣ୍ଟା ଯାଏଁ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଖାଲି ହିମାଞ୍ଚଳ ନୁହେଁ ଉତରାଖଣ୍ଡର ଋଷିକେଶରେ ମଧ୍ୟ ଭୂସ୍ଖଳନ ଯୋଗୁଁ ୫ ଜଣ ନିଖୋଜ ହୋଇଛନ୍ତି । ବର୍ଷା ଯୋଗୁଁ ଋଷିକେଶରେ ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଛି । ପ୍ରବଳ ବର୍ଷା ପ୍ରଭାବରେ ଉତ୍ତରାଖଣ୍ଡର ମାଲଦେବତାରେ ଥିବା ଡେରାଡୁନ୍ ଡିଫେନ୍ସ କଲେଜ କୋଠା ଭୁଶୁଡ଼ି ପଡ଼ିଛି । ତେବେ ଏହି ମହାପ୍ରଳୟକୁ ଦେଖି ସଭିଏଁ ସ୍ତବ୍ଧ ହୋଇଥିବା ବେଳେ କେବେ ଏଥିରୁ ଆଶ୍ଵସ୍ତି ମିଳିବ ତାକୁ ହିଁ ଅପେକ୍ଷା ।