ଧୋନିଙ୍କ ଆଇକନିକ୍‌ ଜର୍ସିର ଅବସର

ବ୍ଲୁ ଜର୍ସିରେ ଆଉ ଦେଖିବାକୁ ମିଳିବନି ନଂ ୭

ବ୍ଲୁ ଜର୍ସିରେ ଆଉ ଦେଖିବାକୁ ମିଳିବନି ନଂ ୭। ଧୋନିଙ୍କ ଆଇକନିକ୍‌ ଜର୍ସିର ଅବସର। ଭାରତୀୟ କ୍ରିକେଟ୍‌ ଇତିହାସର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନଂ ୭ କୁ ଅବସର ଦେଇଛି ବିସିସିଆଇ । ଟିମ୍ ଇଣ୍ଡିଆର ଆଉ କୌଣସି କ୍ରିକେଟରଙ୍କୁ ସାତ ନମ୍ବର ଜର୍ସିରେ ଦେଖିବାକୁ ମିଳିବ ନାହିଁ । ଭାରତୀୟ ଓ ଅନ୍ତର୍ଜାତୀୟ କ୍ରିକେଟକୁ ଧୋନୀଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା । ୭ ନମ୍ବର ଜର୍ସି ପାଇଁ ଅନୁରୋଧ ନ କରିବାକୁ ବର୍ତ୍ତମାନର ଯୁବ କ୍ରିକେଟରଙ୍କୁ ବିସିସିଆଇ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି । ସାଧାରଣତଃ ଭାରତ ପାଇଁ ଡେବ୍ୟୁ କରିବା ପରେ ଭାରତୀୟ କ୍ରିକେଟରଙ୍କୁ ନିଜ ପସନ୍ଦର ଜର୍ସି ନମ୍ବର ବାଛିବା ଲାଗି ଅନୁମତି ଦିଆଯାଇଥାଏ । ଆଇସିସି ନିୟମ ଅନୁସାରେ, ଖେଳାଳିମାନେ ୧ରୁ ୧୦୦ ଭିତରେ ଯେ କୌଣସି ନମ୍ବର ବାଛିପାରିବେ । ନିଜର ଅନ୍ତର୍ଜାତୀୟ ଓ ଆଇପିଏଲ୍ କ୍ୟାରିୟରରେ ଧୋନୀ ୭ ନମ୍ବର ଜର୍ସି ପିନ୍ଧି କ୍ରିକେଟ ଖେଳୁଥିଲେ । ଧୋନୀ ଶେଷ ଥର ଲାଗି ୨୦୧୯ ଦିନିକିଆ ବିଶ୍ୱକପ ସେମିଫାଇନାଲରେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେ ୨୦୨୦ ଅଗଷ୍ଟ ୧୫ ତାରିଖ ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରିଥିଲେ । ସେବେଠାରୁ ଭାରତୀୟ କ୍ରିକେଟ ଟିମର କୌଣସି ଖେଳାଳିଙ୍କୁ ୭ ନମ୍ବର ଜର୍ସିରେ ଦେଖିବାକୁ ମିଳୁନାହିଁ । ପୂର୍ବରୁ ୨୦୧୭ରେ ବିସିସିଆଇ ପକ୍ଷରୁ ମହାନ୍ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ମଧ୍ୟ ରିଟାୟାର୍ଡ ଘୋଷଣା କରାଯାଇଥିଲା ।