ଠକାମୀର ଶିକାର ହେଲେ ମହେନ୍ଦ୍ର ସିଂ ଧୋନୀ

୧୫ କୋଟିର କ୍ଷତି ପାଇଁ କେସ୍ କଲେ ଧୋନୀ

ଠକାମୀର ଶିକାର ହୋଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ନିଜର ଅତି ଘନିଷ୍ଠ ବନ୍ଧୁ ଧୋନୀଙ୍କୁ ଠକିଛନ୍ତି । ୧୫ କୋଟିର କ୍ଷତି ପାଇଁ ଧୋନୀ କେସ୍ ମଧ୍ୟ କରିଛନ୍ତି । ଆରକା ସ୍ପୋର୍ଟ୍ସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡର ମିହିର ଦିବାକର ଓ ସୌମ୍ୟା ବିଶ୍ୱାସଙ୍କ ନାଁରେ ରାଞ୍ଚି କୋର୍ଟରେ ଅପରାଧିକ ମାମଲା ରୁଜୁ କରିଛନ୍ତି ଧୋନୀ । ଧୋନୀଙ୍କର ଅତି ଘନିଷ୍ଠ ବନ୍ଧୁ ଭାବେ ମିହିର ଦିବାକର ଜଣାଶୁଣା । ଏପରିକି ମିହିରି ହେଉଛନ୍ତି ଧୋନୀଙ୍କର ବ୍ୟବସାୟିକ ବନ୍ଧୁ । ମିହିରଙ୍କ ସହ ଧୋନୀଙ୍କର ଅନେକ ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳେ । ମିହିର ଦିବାକର ବିଶ୍ୱର ବିଭିନ୍ନ ସ୍ଥାନରେ କ୍ରିକେଟ ଏକାଡେମୀ ଖୋଲିବାକୁ ୨୦୧୭ ମସିହାରେ ଧୋନୀଙ୍କ ସହ ଚୁକ୍ତି କରିଥିଲେ । କିନ୍ତୁ ଚୁକ୍ତିରେ ଥିବା ସର୍ତ୍ତକୁ ପରବର୍ତ୍ତୀ ସମୟରେ ପାଳନ କରିନଥିଲେ ମିହିର । ପରେ ୨୦୨୧ରେ ଧୋନୀ ନିଜର ଅଥରିଟି ଲେଟର ଆରକା ସ୍ପୋର୍ଟ୍ସ ଠାରୁ ଫେରସ୍ତ ନେଇଥିଲେ । ଏହାପରେ ଚୁକ୍ତି ଖିଲାପ ପାଇଁ ମିହିରଙ୍କୁ ଅନେକ ନୋଟିସ ପଠାଇଥିଲେ ମଧ୍ୟ ଏହାର ଉତ୍ତର ଦେଇନଥିଲେ ମିହିର । ପରେ ଧୋନୀଙ୍କ ଓକିଲ ଦୟାନନ୍ଦ ସିଂ କହିଥିଲେ, ଆରକା ସ୍ପୋର୍ଟ୍ସ ଧୋନୀଙ୍କ ସହ ଠକାମୀ କରିଛି । ଯେଉଁଥିପାଇଁ ଧୋନୀଙ୍କର ୧୫ କୋଟି ଟଙ୍କାର କ୍ଷତି ହୋଇଛି । ଯାହାକୁ ନେଇ ମିହିରଙ୍କ ବିରୋଧରେ କୋର୍ଟରେ ପହଞ୍ଚିଛନ୍ତି ଧୋନୀ ।