ସଫଳ ହେଉ ଜହ୍ନ ମିଶନ, ସବୁଠି ପୂଜାପାଠ

୨ଟା ୩୫ରେ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩

ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩ । ଏଥିପାଇଁ ସରିଛି ସବୁ ପ୍ରସ୍ତୁତି । ଆଜି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ । ସାରା ବିଶ୍ବର ଏହା ଉପରେ ରହିଛି ନଜର । ଏହି ସଫଳ ମିଶନ ପାଇଁ ସମସ୍ତ ଆବଶ୍ୟକ ପାରାମିଟର ପୂରଣ ହୋଇଥିବାରୁ ଇସ୍ରୋର ମିଶନ ପ୍ରସ୍ତୁତି ସମୀକ୍ଷା କମିଟି ଉତକ୍ଷେପଣ ପାଇଁ ମଞ୍ଜୁରୀ ଦେଇଛି । କମିଟିର ଅନୁମୋଦନ ପରେ ଲଂଚ ପ୍ରାଧିକରଣର ବୋର୍ଡ ମଧ୍ୟ ଚନ୍ଦ୍ରଯାନ-୩ ମିଶନ ଆରମ୍ଭ କରିବାକୁ ଅନୁମତି ଦେଇଛି । ୨୦୧୯ ସେପ୍ଟେମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବେଗ ନିୟନ୍ତ୍ରଣ ହୋଇ ପାରିନଥିଲା । ଗତିପଥରେ ପରିବର୍ତ୍ତନ ଓ ଦ୍ରୁତ ଗତି ଯୋଗୁଁ କ୍ରାସ ଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର । ଏହା ସହ ଭାରତର ଚନ୍ଦ୍ର ବିଜୟ ସ୍ୱପ୍ନ ମଧ୍ୟ ଚୁରମାର ହୋଇ ଯାଇଥିଲା । କିନ୍ତୁ ଭାରତ ପଛକୁ ନହଟି ଆରମ୍ଭ କରିଥିଲା ମିସନ ଚନ୍ଦ୍ରଯାନ-୩ । ଆଉ ଯଦି ଏଥର ଯଦି ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ ।