୬ ବର୍ଷ ନହେଲେ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ ମନା

୬ ବର୍ଷ ନହେଲେ ପିଲାଙ୍କୁ ସ୍କୁଲ ମନା

୬ ବର୍ଷ ନହେଲେ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ ମନା । ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଏବଂ ଶିଶୁମାନଙ୍କର ମାଗଣା ଏବଂ ଜରୁରୀ ଶିକ୍ଷା ଅଧିକାର (ଆରଟିଇ) ଅଧିନିୟମ ୨୦୦୯ ଅନୁଯାୟୀ, ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ କରିବାକୁ ହେଲେ ସେମାନଙ୍କୁ ଅନ୍ୟୁନ ୬ ବର୍ଷ ହୋଇଥିବା ଆବଶ୍ୟକ । ୨୦୨୦ରେ NEP ଆରମ୍ଭ ହେବା ପରଠୁ କେନ୍ଦ୍ର ଶିକ୍ଷା ବିଭାଗ, ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଏଭଳି ଅନେକ ଚିଠି ଲେଖିଛି । ଯେଉଁଗୁଡ଼ିକୁ କଡ଼ାକଡ଼ି ଭାବେ ମାନିବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଗତ ବର୍ଷ ମଧ୍ୟ ଏକ ଚିଠି ଲେଖାଯାଇଥିଲା। ସେହି ଚିଠିରେ ସ୍ପଷ୍ଟ ଲେଖାଯାଇଛି ଯେ, “୨୦୨୪-୨୫ ବର୍ଷ ପାଇଁ ଖୁବ୍‌ ଶୀଘ୍ର ସ୍କୁଲ ମାନଙ୍କରେ ପିଲାଙ୍କ ଆଡ୍‌ମିଶନ ଆରମ୍ଭ ହୋଇଯିବ । ତେଣୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପିଲାଙ୍କୁ ୬ ବର୍ଷ ହେଲେ ହିଁ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ ଦିଆଯିବ ବୋଲି ନିୟମ ଧାର୍ଯ୍ୟ କରାଯାଇଛି । ମାର୍ଚ୍ଚ ୨୦୨୨ ରେ କେନ୍ଦ୍ର ସରକାର ଲୋକସଭାରେ ସୂଚନା ଦେଇଥିଲେ ଯେ ଆସାମ, ଗୁଜୁରାଟ, ପୁଡୁଚେରୀ, ତେଲେଙ୍ଗାନା, ଲଦାଖ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଉତ୍ତରାଖଣ୍ଡ, ହରିୟାଣା, ଗୋଆ, ଝାଡଖଣ୍ଡ, କର୍ଣ୍ଣାଟକ ଏବଂ କେରଳରେ ପିଲାଙ୍କୁ ୬ ବର୍ଷ ହେବା ପୂର୍ବରୁ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ ଦିଆଯାଉଛି ।