କମଲନାଥଙ୍କ ପରେ ହାତ ଛାଡିବେ କି ମନୀଷ ତିୱାରି?
କମଲନାଥଙ୍କ ପରେ ମନୀଷ ତିୱାରି ମଧ୍ୟ କଂଗ୍ରେସ ହାତ ଛାଡି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ ନେଇ କଂଗ୍ରେସ ସାଂସଦ ମନୀଷ ତିୱାରି କହିଛନ୍ତି ବିଜେପି ସହ ସଂପର୍କ ଯୋଡିବାର ଖବର ପୁରା ନିରାଧାର ଓ ଅମୂଳକ । ପଞ୍ଜାବର ଆନନ୍ଦପୁର ସିଟ୍ କଂଗ୍ରେସ ସାଂସଦ ମନୀଷ ତିୱାରି ବିଜେପିରେ ସାମିଲ ହେବେ ବୋଲି ଏବେ ଚର୍ଚ୍ଚା ହେଉଛି । ମିଳିଥିବା ସୂତ୍ରରୁ ଜଣାଯାଇଛି ସେ ଲୁଧିଆନା ଲୋକସଭା ସିଟ୍ରୁ ଏଥର ପଦ୍ମ ଚିହ୍ନରେ ଲଢିବାକୁ ଚାହୁଁଛନ୍ତି । ଏହାପୂର୍ବରୁ ତିୱାରୀ ଲୁଧିଆନା ସଂସଦୀୟ କ୍ଷେତ୍ରରୁ ହିଁ ପ୍ରତିନିଧିତ୍ୱ କରୁଥିଲେ । କିନ୍ତୁ ମନୀଷ ତିୱାରିଙ୍କ ଅଫିସ୍ ଏହାକୁ ଖାରଜ କରିଦେଇଛି । ଅଫିସ୍ ପକ୍ଷରୁ କୁହାଯାଇଛି ତିୱାରିଙ୍କ ବିଜେପିରେ ଯୋଗଦେବାର ଚର୍ଚ୍ଚା ପୁରା ଅମୂଳକ । ସେ ଏବେ ନିଜ ନିର୍ବାଚନ କ୍ଷେତ୍ରରେ ଅଛନ୍ତି ଓ ସେଠାରେ ବିକାଶ କାର୍ୟ୍ୟ ଦେଖାରଖା କରୁଛନ୍ତି ।