‘ମଣିପୁରର ସ୍ଥିତି ଅତ୍ୟନ୍ତ ଗମ୍ଭୀର’

ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆ ସଦସ୍ୟଙ୍କ ସାଂଘାତିକ ବୟାନ

ମଣିପୁରର ସ୍ଥିତି ଭଲ ନାହିଁ । ସାଂଘାତିକ ପରିସ୍ଥିତି ଦେଇ ଗତି କରୁଛି ମଣିପୁର । ଏକଥା ଆମ ନୁହେଁ ଏକଥା କହୁଛନ୍ତି ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆର ସଦସ୍ୟ । ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣିଆ ସାଂସଦ ପ୍ରତିନିଧି ଦଳ ମଣିପୁର ଗସ୍ତ କରି ଫେରିଛନ୍ତି । ମଣିପୁର ସ୍ଥିତି ସମୀକ୍ଷା ପରେ ରାଜ୍ୟପାଳଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ଦେଇଛନ୍ତି । ରାଜ୍ୟରେ ଶାନ୍ତି ଏବଂ ସଦଭାବ ଫେରାଇ ଆଣିବା ପାଇଁ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବାକୁ ବିରୋଧୀ ସାଂସଦ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି । ମଣିପୁର ଗସ୍ତରେ ଯାଇଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ସେଠାକୁ ଫେରିବା ପରେ କହିଛନ୍ତି ଯେ “ମଣିପୁରର ଲୋକଙ୍କ ମନରେ ଭୟ ଓ ଅନିଶ୍ଚିତତା ରହିଛି।

ମଣିପୁର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ମଣିପୁର ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି। ହଜାର ହଜାର ଲୋକ ହିଂସା ଯୋଗୁ ବେଘର ହୋଇଯାଇଛନ୍ତି। ସେମାନେ ନଜ ଘରକୁ ଫେରିପାରିବେ କି ନାହିଁ, ସେହି ଆଶଙ୍କାରେ ରହିଛନ୍ତି। ସ୍ଥିତି ବହୁତ ଖରାପ। କୁକି ଓ ମୈତୈ ସଂପ୍ରଦାୟ ମଧ୍ୟରେ ଥିବା ମତପାର୍ଥକ୍ୟକୁ କେମିତି ସମାଧାନ କରାଯିବ? କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହି ବି ବିବାଦର ସମାଧାନ କରିବାକୁ ଉପଯୁକ୍ତ ପଦକ୍ଷେପ ନେଇ ନାହାନ୍ତି।

ଏଥିସହ କେନ୍ଦ୍ର ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବା ଲାଗି ସେମାନେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି । ସ୍ମାରକପତ୍ରରେ ବିରୋଧୀ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ଭର୍ତ୍ସନା କରିଛନ୍ତି ବିରୋଧୀ । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗରେ ବିଫଳ ହୋଇଛନ୍ତି । ପ୍ରାୟ ୩ ମାସ ଧରି ଚାଲିଥିବା ହିଂସାରେ ୧୪୦ରୁ ଅଧିକ ଲୋକେ ପ୍ରାଣ ହାରାଇଲେଣି । ୫ ହଜାରରୁ ଅଧିକ ଲୋକଙ୍କ ଘର ପୋଡି ଦିଆଯାଇଥିବା ବେଳେ ୬୦ ହଜାରରୁ ଅଧିକ ଲୋକେ ସ୍ଥାନାନ୍ତର ହୋଇଛନ୍ତି । ତେବେ ମଣିପୁରରେ କିପରି ଶୀଘ୍ର ଶାନ୍ତି ଫେରିବ ତଥା ଦୋଷୀ କିପରି ଦଣ୍ଡ ପାଇବ ତାକୁ ନେଇ ଏବେ ସ୍ଵର ତୀବ୍ର କରିଛନ୍ତି ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆର ସଦସ୍ୟ