ସଂସଦରେ ମଣିପୁର ଝଡ । ମଣିପୁର ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏମିତିକି ୫ଦିନ ଧରି ଗୃହ ଅଚଳ ଥିବାବେଳେ ଆଜି ଷଷ୍ଠ ଦିନରେ ମଧ୍ୟ ସ୍ଵର ଶାଣିତ କରିଛନ୍ତି ବିରୋଧୀ । ମୌସୁମୀ ଅଧିବେଶନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଗୃହରେ ମଣିପୁର ହିଂସାର ତାତି ଦେଖିବାକୁ ମିଳିଛି । ବିରୋଧୀମାନେ ଏହି ପ୍ରସଙ୍ଗକୁ ନେଇ ସରକାରକୁ ଟାର୍ଗେଟ କରୁଥିବାବେଳେ, ଗୁରୁବାର ବିରୋଧୀଙ୍କ ମେଣ୍ଟ ଇଣ୍ଡିଆ ତରଫରୁ ଏକ ବଡ ବୈଠକ ଡକାଯାଇଛି । ଏହି ବୈଠକରେ ବିରୋଧୀ ଦଳର ସାଂସଦମାନେ କଳା କପଡା ପିନ୍ଧି ପହଞ୍ଚିଥିବା ମଧ୍ୟ ଦେଖିବାକୁ ମିଳିଛି । ଗତ ମେ ୩ ତାରିଖରୁ ମଣିପୁରରେ ହିଂସା ଲାଗିରହିଛି ।
ବର୍ତ୍ତମାନ ସୁଦ୍ଧା ଏହି ହିଂସାରେ ୧୬୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ମଣିପୁର ହିଂସାକୁ ନେଇ ସଂସଦର ଉଭୟ ସଦନରେ ବିରୋଧୀଙ୍କ ହୋ ହଲ୍ଲା ଲାଗି ରହିଛି । ଏହି ମୁଦ୍ଦା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ରଖନ୍ତୁ ବୋଲି ଦାବି କରିଆସୁଛନ୍ତି ବିରୋଧୀ । ଯେତେବେଳେ କି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ସେ ବିରୋଧୀଙ୍କ ସହ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛନ୍ତି । ସେପଟେ ସଂସଦରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ମଣିପୁର ପ୍ରସଙ୍ଗରେ ୫ ଦିନ ଧରି ପାର୍ଲାମେଣ୍ଟ ଅଚଳ । ଉଭୟ ଗୃହରେ ଗତିରୋଧ ଜାରି ରହିଥିବା ବେଳେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ମହାମେଣ୍ଟ ଇଣ୍ଡିଆ ।
ପ୍ରସ୍ତାବ ମଞ୍ଜୁର ହୋଇଥିବା ବେଳେ ଆଜି ଚର୍ଚ୍ଚା ହେବା ପାଇଁ ଦାବି କରିଥିଲା କଂଗ୍ରେସ । ମୋଟ ଲୋକସଭା ସିଟ୍ ସଂଖ୍ୟା ୫୪୩ । ୫ ସିଟ୍ ଖାଲି ପଡ଼ିଥିବା ବେଳେ ମ୍ୟାଜିକ ନମ୍ବର ୨୬୯ । ବିଜେପି ନେତୃତ୍ବାଧୀନ ଏନଡିଏ ପାଖରେ ରହିଛି ୩୨୯ ସିଟ୍ । କେବଳ ବିଜେପି ପାଖରେ ୩୦୧ ଆସନ ରହିଛି । ବିରୋଧୀ ମେଣ୍ଟ ପାଖରେ ମାତ୍ର ୧୪୨ ସିଟ୍ ରହିଛି । ସେପଟେ ଏହି ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ମଞ୍ଜୁର କରିଥିବା ସୂଚନା ରହିଛି । ଯାହାକୁ ନେଇ ଏବେ ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି । ବିରୋଧୀ ଭାରି ପଡିବେ ବୋଲି ଚର୍ଚ୍ଚା ଜୋର ଧରିଛି ।