୬ମାସ ପାଇଁ ପୁରା ମଣିପୁରକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା
ଲଗାତାର କିଛି ଦିନର ଶାନ୍ତ ପରିସ୍ଥିତି ପରେ ଏବେ ପୁଣି ଅଶାନ୍ତ ହୋଇଛି ମଣିପୁର । ୬ମାସ ପାଇଁ ସାରା ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ମଣିପୁର ସରକାର । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ସରକାର ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ ଅନୁଯାୟୀ ସମଗ୍ର ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି । ତେବେ ରାଜଧାନୀ ଇମ୍ଫାଲ ସମେତ ୧୯ଟି ପୁଲିସ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳକୁ ଏଥିରୁ ବାଦ ଦିଆଯାଇଛି । ରାଜ୍ୟ ସରକାର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ବିଭିନ୍ନ ଚରମପନ୍ଥୀ ଗୋଷ୍ଠୀର ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ସମଗ୍ର ରାଜ୍ୟରେ ସଶସ୍ତ୍ର ବାହିନୀର ଆବଶ୍ୟକତା ରହିଛି । ତେଣୁ ସମଗ୍ର ରାଜ୍ୟକୁ ଅଶାନ୍ତ ଅଞ୍ଚଳ ଘୋଷଣା କରାଯାଉଛି । ହେଲେ ଏଥିରୁ ୧୯ଟି ପୁଲିସ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳ- ଇମ୍ଫାଲ, ଲ୍ୟାମ୍ଫେଲ, ସିଟି, ସିଙ୍ଗଜାମାଇ, ସେକମାଇ, ଲାମସାଙ୍ଗ, ପାଟସୋଇ, ୱାଙ୍ଗୋଇ, ପୋରୋମ୍ପାଟ, ହେଙ୍ଗାଙ୍ଗ, ଲାମଲାଇ, ଇରିଲବଙ୍ଗ, ଲେଇମାଖୋଙ୍ଗ, ଥୋଉବାଲ, ବିଷ୍ଣୁପୁର, ନାମ୍ବୋଲ, ମୋଇରଙ୍ଗ, କାକଚିଙ୍ଗ ଏବଂ ଜିରିବାମକୁ ବାଦ୍ ଦିଆଯାଇଛି । ଅର୍ଥାତ୍ ଏହି ଅଞ୍ଚଳ ଅଶାନ୍ତ ଅଞ୍ଚଳ ଅଧୀନରେ ଆସିବ ନାହିଁ ।