ଦର୍ଶକ ଗ୍ୟାଲେରୀରୁ ଡେଇଁଲେ, ଲୋକସଭାରେ ରଙ୍ଗୀନ ଗ୍ୟାସ ସ୍ପ୍ରେ କଲେ ୨ ଯୁବକ
ସଂସଦ ଭିତରେ ଅଜ୍ଞାତ ଯୁବକଙ୍କ ପ୍ରବେଶକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । କିଏ ଏହି ଯୁବକମାନେ, କ’ଣ ଏମାନଙ୍କ ଉଦ୍ଦେଶ୍ୟ ? ତାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ?ଏତେ ସୁରକ୍ଷା ବ୍ୟବସ୍ଥା ଭିତରେ ସଂସଦ ଭିତରକୁ କେମିତି ପଶିଲେ ଯୁବକ? ଅଭେଦ୍ୟ ସୁରକ୍ଷା ବଳୟ ଭିତରେ ଥିବା ସଂସଦରେ ଏଭଳି ଅଭାବନିୟ କାଣ୍ଡ କିପରି ଘଟି ପାରିଲା ତାକୁ ନେଇ ଚାଲିଛି ତଦନ୍ତ । ଅଚାନକ ସଂସଦର ଦର୍ଶକ ଗ୍ୟାଲେରୀରୁ ଡେଇଁ ପଡିଥିଲେ ୨ ଜଣ ଯୁବକ । ଏଭଳି ଅସ୍ୱଭାବିକ କାଣ୍ଡକୁ ଦେଖି ହତବାକ୍ ହୋଇଯାଇଥିଲେ ଗୃହର ସଦସ୍ୟ । ଆଉ ଗୋଟିଏ ପରେ ଗୋଟିଏ ଚୌକି ଡେଇଁ ଯୁବକମାନେ ଆଗକୁ ବଢିଥିଲେ । ସାଙ୍ଗରେ ଆଣିଥିବା ରଙ୍ଗୀନ ଗ୍ୟାସ ବି ସ୍ପ୍ରେ କରିଥିଲେ । ସଂସଦ ଭିତରେ ପଶି ଉତ୍ପାତ କରିଥିବା ଏହି ଯୁବକଙ୍କୁ ସାହସର ସହ କାବୁ କରି ସୁରକ୍ଷାକର୍ମୀଙ୍କ ଜିମା ଦେଇଥିଲେ ସାଂସଦ । ଲୋକସଭାରୁ କାବୁ ହୋଇଥିବା ୨ ଯୁବକ ସାଗର ଶର୍ମା ଓ ମନୋରଞ୍ଜନ ଡି ବୋଲି ଜଣାପଡିଛି ।
ଏମାନେ ମହିସୁର ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ନାଁରେ ଭିଜିଟର୍ସ ପାସରେ ସଂସଦକୁ ଆସିଥିଲେ । ସେହିପରି ସଂସଦ ବାହାରେ ‘ଭାରତ ମାତା କୀ ଜୟ’ ‘ଜୟ ଶ୍ରୀରାମ’ ନାରାବାଜି କରୁଥିବା ଏମାନଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ବାକୁ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ୪୨ ବର୍ଷୀୟ ମହିଳା ନିଲମ ଓ ଅନ୍ୟଜଣେ ୨୫ ବର୍ଷୀୟ ଅନମୋଲ ସିନ୍ଦେ ବୋଲି ଜଣାପଡିଛି । ପୋଲିସ କାବୁ କଲାବେଳେ ସେମାନେ ମଧ୍ୟ ସମାନଧରଣର ହଳଦିଆ ଗ୍ୟାସ ସ୍ପ୍ରେ କରିଥିଲେ । ସମସ୍ତ ୪ ଜଣଙ୍କୁ ଦିଲ୍ଲୀ ପୋଲିସ ସହ ଗୁଇନ୍ଦା ବିଭାଗ ପଚରାଉଚରା କରିଛି । ଦୀର୍ଘଦିନ ହେଲା ଏମାନଙ୍କ କଥା କେହି ଶୁଣୁନଥିବାରୁ ଏଭଳି କାଣ୍ଡ କରିଥିବା କହିଛନ୍ତି । ପୁରା ଘଟଣାକୁ ନେଇ ଗୃହକୁ ସୂଚନା ଦେଇଛନ୍ତି ବାଚସ୍ପତି ଓମ ବିର୍ଲା । ଯୁବକଙ୍କର କୌଣସି ଆତଙ୍କବାଦୀ ଲିଙ୍କ ନାହିଁ । ସେମାନେ ସାଧାରଣ ଗ୍ୟାସ ବ୍ୟବହାର କରିଥିଲେ ଏବଂ ପୋଲିସ ଅଧିକ ଅନୁସନ୍ଧାନ କରୁଛି ବୋଲି ମଧ୍ୟ ବାଚସ୍ପତି ଗୃହରେ ସ୍ପଷ୍ଟ କରିଛନ୍ତି।
ତେବେ ଆଜିର ଘଟଣାକୁ ନେଇ ଆଉ ଏକ ଦିଗ ଆସୁଛି ଯାହା ଅତ୍ୟନ୍ତ ଚିନ୍ତାଜନକ । ଆଜିକୁ ଠିକ ୨୨ ବର୍ଷ ତଳେ ୨୦୦୧ ଡିସମ୍ବେର ୧୩ରେ ସଂସଦ ଉପରେ ହୋଇଥିଲା ଆକ୍ରମଣ । ସେଇ ସମାନ ତାରିଖରେ ଏଭଳି ଘଟଣା ଘଟିବା କେବଳ ସଂଯୋଗ ନା ଏହା ପଛରେ ରହିଛି ଷଡ଼ଯନ୍ତ୍ର । ଅନ୍ୟପକ୍ଷରେ ଖଲିସ୍ତାନୀ ସମର୍ଥକମାନେ ସଂସଦ ଭିତରେ ଡିସେମ୍ବର ୧୩ରେ ସଂସଦ ଭିତରେ କାଣ୍ଡ ଘଟାଇବାକୁ ପୂର୍ବରୁ ଧମକ ଦେଇଥିଲେ । ଏହିମାନେ ଆଉ ଖଲିସ୍ତାନୀ ଲିଙ୍କରେ ନାହାନ୍ତି ତ? ସେ ଉପରେ ମଧ୍ୟ ଦିଲ୍ଲୀ ପୋଲିସ ତଦନ୍ତ କରୁଛି ।