ସୁଡଙ୍ଗ ନିକଟରେ ପୁଣି ଭୂସ୍ଖଳନ, କେମିତି ଉଦ୍ଧାର ହେବେ ଶ୍ରମିକ
ଉଦ୍ଧାର କାର୍ଯ୍ୟରେ ପୁଣି ବାଧା । ୭୦ ଘଣ୍ଟାରୁ ଅଧିକ ସମୟ ହେବ ଉତ୍ତରାଖଣ୍ଡର ନିର୍ମାଣାଧୀନ ସୁଡ଼ଙ୍ଗ ପଥରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ସମୟରେ ପୁଣି ଭୂସ୍ଖଳନ ହୋଇଛି । ଏଥିରେ ଓଡିଶାର ଶ୍ରମିକ ମଧ୍ୟ ଫସିଥିବା ସୂଚନା ରହିଛି । ପଥରସ୍ତୂପ ମଧ୍ୟକୁ ଇସ୍ପାତ ପାଇପ ଭର୍ତ୍ତି କରିବା ଲାଗି ଉଦ୍ଧାରକାରୀମାନେ ଦୀର୍ଘ ସମୟ ଧରି ‘ଡ୍ରିଲିଙ୍ଗ୍ ମେସିନ୍’ ପ୍ରସ୍ତୁତ କରିଥିଲେ । କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଥରେ ଭୂସ୍ଖଳନ ହେବାରୁ ସେମାନେ ଉକ୍ତ ‘ଡ୍ରିଲିଙ୍ଗ୍ ମେସିନ୍’କୁ ଖୋଲିବାକୁ ବାଧ୍ୟ ହୋଇଛନ୍ତି । ତେଣୁ, ଏବେ ସେମାନେ ପୁଣି ଥରେ ଆରମ୍ଭରୁ ଉକ୍ତ ମେସିନ୍ ପ୍ରସ୍ତୁତି କାର୍ଯ୍ୟ କରୁଛନ୍ତି । ଏହି ‘ଡ୍ରିଲିଙ୍ଗ୍ ମେସିନ୍’ ସୁଡ଼ଙ୍ଗ ପଥ ମଧ୍ୟରେ ଧସି ପଡ଼ିଥିବା ମାଟି ପଥର ଭଗ୍ନସ୍ତୂପ ମଧ୍ୟରେ ଗଳାବାଟ ଖୋଲିବାରେ ସାହାଯ୍ୟ କରିବ । ଫଳରେ ଉକ୍ତ ଗଳାବାଟ ଦେଇ ଶ୍ରମିକମାନେ ପଦାକୁ ବାହାରି ଆସିବେ। ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ସୁଡ଼ଙ୍ଗ ପଥ ମଧ୍ୟରୁ ପ୍ରାୟ ୨୧ ମିଟର୍ ମାଟି ପଥର କଢ଼ା ଯାଇସାରିଲାଣି। ଆହୁରି ୧୯ ମିଟର ପଥ ପରିଷ୍କାର କରାଯିବାକୁ ବାକି ଅଛି । କିନ୍ତୁ, ଘଟଣାସ୍ଥଳରୁ ଉତ୍ତୋଳିତ ଫଟୋରେ ଦେଖାଯାଉଛି ଯେ, ଉଦ୍ଧାରକାରୀ ଦଳ ‘ଡ୍ରିଲିଙ୍ଗ୍ ମେସିନ୍’ ଖୋଲିବା ସହିତ ସେଥି ନିମନ୍ତେ ପ୍ରସ୍ତୁତ କରିଥିବା ‘ପ୍ଲାଟ୍ଫର୍ମ’ ବି ଖୋଲି ପକାଉଛନ୍ତି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ କହିଛି ଯେ, ନୂଆ ‘ଡ୍ରିଲିଙ୍ଗ୍ ମେସିନ୍’ ବସାଇବା ପାଇଁ କାର୍ଯ୍ୟ ଚାଲିଛି। ସୂଚନାଯୋଗ୍ୟ, ଫସି ରହିଥିବା ଶ୍ରମିକମାନଙ୍କ ସହିତ ଉଦ୍ଧାକାରୀ ଦଳ ‘ୱାକି-ଟକି’ ମାଧ୍ୟମରେ ଯୋଗାଯୋଗ ରଖିଛନ୍ତି।