୧୮ ଦିନରେ ବାବାଙ୍କ ଦର୍ଶନ କଲେ ୫ ଲକ୍ଷ ଭକ୍ତ
କେଦାରନାଥ ଯାତ୍ରାରେ ଅସମ୍ଭାଳ ଭିଡ଼ । ବାବା କେଦାରଙ୍କୁ ଦେଖିବା ପାଇଁ ଭକ୍ତମାନେ ଅସମ୍ଭାଳ ଭିଡ଼ ଜମାଇଛନ୍ତି । କେଦାରଘାଟୀଠାରୁ ଆରମ୍ଭ କରି କେଦାରନାଥ ଧାମ ପର୍ଯ୍ୟନ୍ତ ଭରପୂର ତୀର୍ଥଯାତ୍ରୀ । ଚଳିତ ବର୍ଷ ଯେତିକି ଭକ୍ତ ବାବାଙ୍କୁ ଦର୍ଶନ କରିବେ ବୋଲି ଆକଳନ କରାଯାଉଥିଲା ତାଠୁ ଢେର ଅଧିକ ଭକ୍ତ ବାବ କେଦାରଙ୍କ ଦର୍ଶନ କରିଛନ୍ତି । ଚଳିତ ବର୍ଷ ମାତ୍ର ୧୮ ଦିନରେ ପାଞ୍ଚ ଲକ୍ଷରୁ ଅଧିକ ଭକ୍ତ କେଦାରନାଥ ଯାଇ ବାବା କେଦାରଙ୍କ ଦର୍ଶନ କରିଛନ୍ତି । ଯାହା ପୂର୍ବ ବର୍ଷଗୁଡ଼ିକର ଥିବା ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ଚଳିତ ଥର ଆରମ୍ଭରୁ ଏ ପର୍ଯ୍ୟନ୍ତ, ତିରିଶ ହଜାରରୁ ଅଧିକ ଭକ୍ତ ପ୍ରତିଦିନ ବାବା କେଦାରଙ୍କ ଦର୍ଶନ କରିବାକୁ ଆସୁଛନ୍ତି । କେଦାରନାଥ ଧାମ ଯାତ୍ରା ଉପରେ ମଧ୍ୟ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି । ତୀର୍ଥଯାତ୍ରୀମାନଙ୍କୁ ଚାଲିବା ମାର୍ଗ ସହିତ ଶୌଚାଳୟ, ବିଦ୍ୟୁତ, ସଂଚାର, ରହିବା ଏବଂ ଖାଦ୍ୟ ଭଳି ସୁବିଧା ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ ପ୍ରତ୍ୟେକ ହେଲିପ୍ୟାଡ୍, କେଦାରନାଥ ଧାମ, ଚଲାପଥ ଏବଂ ରାଜପଥକୁ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଉଛି। ଯାତ୍ରୀଙ୍କ ସୁରକ୍ଷା ଏବଂ ସେବା ପାଇଁ ରୁଦ୍ର ପ୍ରୟାଗ ପ୍ରଶାସନ ପକ୍ଷରୁ PRD, ହୋମଗାର୍ଡ, ପୋଲିସ, SDRF, ଯାତ୍ରା ମ୍ୟାନେଜମେଣ୍ଟ ଫୋର୍ସ, ସେକ୍ଟର ମାଜିଷ୍ଟ୍ରେଟଙ୍କ ବ୍ୟତୀତ DDRF କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସୋନପ୍ରୟାଗ, ଗୌରୀକୁଣ୍ଡ ଓ କେଦାରନାଥ ଧାମରେ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ ମଧ୍ୟ କରାଯାଉଛି ।