ପାକିସ୍ତାନୀ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ଧମକ

୬ ଜଣ ବିଚାରପତିଙ୍କୁ ହତ୍ୟା ଧମକ

କର୍ଣ୍ଣାଟକ ହାଇକୋର୍ଟର ୬ ଜଣ ବିଚାରପତିଙ୍କୁ ହତ୍ୟା ଧମକ। କର୍ଣ୍ଣାଟକ ହାଇକୋର୍ଟର ଜଣେ ପିଆରଓଙ୍କୁ ହ୍ୱାଟସଆପ୍‌ରେ କେହି ବିଚାରପତିମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି। ଏନେଇ ଅଭିଯୋଗ ହେବା ପରେ ବେଙ୍ଗାଲୁରୁ ପୋଲିସ୍‌ ଗୋଟିଏ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପିଆରଓ କେ ମୁରଲୀଧର ଦାଖଲ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କୁ ଜୁଲାଇ ୧୨ ତାରିଖ ସନ୍ଧ୍ୟା ୭ଟା ବେଳେ ଅଜଣା ନମ୍ବରରୁ ବିଚାରପତିଙ୍କୁ ହତ୍ୟା କରାଯିବା ନେଇ ଧମକପୂର୍ଣ୍ଣ ମେସେଜ ଆସିଥିଲା । ଧମକ ମେସେଜ ହିନ୍ଦୀ, ଉର୍ଦ୍ଦ୍ୱୁ ଓ ଇଂରାଜୀରେ ରହିଥିଲା। ଏଥିରେ ପିଆରଓ ମୁରିଲୀଧର, ଜଷ୍ଟିସ ମହମ୍ମଦ ନୱାଜ, ଜଷ୍ଟିସ ଏଚଟି ନରେନ୍ଦ୍ର ପ୍ରସାଦ, ଜଷ୍ଟିସ ଅଶୋକ ନିଜାଗାନ୍ନାନାଭାର, ଜଷ୍ଟିସ ଏଚପି ସନ୍ଦେଶ ଜଷ୍ଟି କେ ନଟରାଜନ ଓ ଜଷ୍ଟିସ ବୀରାପ୍ପାଙ୍କୁ ହତ୍ୟା ପାଇଁ ଧମକ ଦିଆଯାଇଛି। ମେସେଜରେ ଦୁର୍ବୃତ୍ତମାନେ ମୁରଲୀଧରଙ୍କୁ ୫୦ ଲକ୍ଷ ଟଙ୍କା ମାଗିଛନ୍ତି। ଏହି ଟଙ୍କାକୁ ଜମା କରିବା ପାଇଁ ସେମାନେ ପାକିସ୍ତାନୀ ବ୍ୟାଙ୍କର ଆକାଉଣ୍ଟ ନମ୍ବର ଦେଇଛନ୍ତି। ଯଦି ମୁରଲୀଧର ୫୦ ଲକ୍ଷ ଟଙ୍କା ନ ଦେବେ, ତା’ହେଲେ ୬ ବିଚାରପତିଙ୍କୁ ଦୁବାଇର ଗ୍ୟାଙ୍ଗ ପକ୍ଷରୁ ହତ୍ୟା କରାଯିବ ବୋଲି କୁହାଯାଇଛି। ମେଜେସରେ କିଛି ନମ୍ବର ଦିଆଯିବା ସହ ସେମାନେ କୁଆଡ଼େ ଗ୍ୟାଙ୍ଗର ଭାରତୀୟ ଶୁଟର ବୋଲି ଦାବି କରାଯାଇଛି। ମୁରଲୀଧରଙ୍କ ଅଭିଯୋଗ ପରେ ଆଇପିସି ଓ ଆଇଟି ଆକ୍ଟର ବିଭିନ୍ନ ଦଫାରେ ବେଙ୍ଗାଲୁରୁର ସିଇଏନ କ୍ରାଇମ ପୁଲିସ୍‌ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ପୁଲିସ୍‌ ମେସେଜ ଆସିଥିବା ନମ୍ବରର ଏବେ ଯାଞ୍ଚ ଆରମ୍ଭ କରିଛି।