ମଧ୍ୟପ୍ରଦେଶ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା

କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି କମଲନାଥ

କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି କମଲନାଥ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ଏବଂ ତାଙ୍କ ସାଂସଦ ପୁଅ ନକୁଲନାଥ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ନକୁଲନାଥ ସୋସିଆଲ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରୁ କଂଗ୍ରେସ ଦଳର ନାମ ଏବଂ ଲୋଗୋ ହଟାଇ ଦେଇଛନ୍ତି। ପ୍ରଥମେ ସେ ଇନଷ୍ଟାଗ୍ରାମ ଏବଂ ଫେସବୁକରୁ କଂଗ୍ରେସର ଲୋଗୋ ହଟାଇଥିବା ବେଳେ ଏବେ ଏକ୍ସ(ଟୁଇଟର) ବାୟୋରୁ ମଧ୍ୟ ଦଳର ନାମ ହଟାଇଦେଇଛନ୍ତି। ଏହା ବଦଳରେ ସେ ଲେଖିଛନ୍ତି ଯେ, ଏମ୍‌ପି, ଛିନ୍ଦୱାଡା(ମଧ୍ୟପ୍ରଦେଶ)।

ନକୁଳନାଥ ବାୟୋ ପରିବର୍ତ୍ତନ କରିବା ପରଠାରୁ ସେ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ଅନୁମାନ କରାଯାଉଛି। ହେଲେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ। ଏପରିକି ସେ ଯଦି କଂଗ୍ରେସ ଛାଡ଼ନ୍ତି ତେବେ କେଉଁ ଦଳରେ ଯୋଗଦେବେ ସେ ନେଇ କୌଣସି ସୂଚନା ମିଳିନାହିଁ। ସୂଚନାଅନୁସାରେ କଂଗ୍ରେସର ବରିଷ୍ଠ ନେତା କମଲନାଥ ଏକ ସପ୍ତାହ ପୂର୍ବରୁ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। କମଲ ନାଥ ନିଜ ପାଇଁ ସୋନିଆ ଗାନ୍ଧୀଙ୍କୁ ରାଜ୍ୟ ସଭା ଟିକେଟ ମାଗିଥିଲେ। କିନ୍ତୁ କମଲନାଥଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରିବା ପରିବର୍ତ୍ତେ କଂଗ୍ରେସ ଅଶୋକ ସିଂଙ୍କୁ ପ୍ରାର୍ଥୀ କରିଛି। ଏହା ପରେ କମଲନାଥ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରତିକ୍ରିୟା ପ୍ରକାଶ କରି ଅଶୋକ ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।