ନଡ୍ଡା-ଖଡ଼ଗେ କଥା କଟାକଟି

କିଏ ଜିତିବ କେତେ ସିଟ୍?

ଭୋଟ୍ ସରିବା ପରେ ନଡ୍ଡାଙ୍କ ବଡ଼ ଦାବି । NDA ୪ଶହ ପାର୍ ସହ ବିଜେପି ଏକାକୀ ୩୭୦ ସିଟ୍ ଅତିକ୍ରମ କରିଯିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଛନ୍ତି ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଭଲ ପ୍ରଦର୍ଶନ କରିଛି ବିଜେପି । ଏଥିସହ ଭିଡିଓ ବାର୍ତ୍ତା ଜରିଆରେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ୍ କରି, ବିକଶିତ ଭାରତ ପାଇଁ ଜନତା ଏନଡିଏକୁ ପୁଣି ଥରେ କ୍ଷମତା ଦେବାକୁ ଯାଉଥିବା କହିଛନ୍ତି ନଡ୍ଡା ।

ଅନ୍ୟପକ୍ଷରେ ଇଣ୍ଡି ମେଣ୍ଟ ୨୯୫ ପ୍ଲସ୍ ଆସନ ଜିତିବା ନେଇ ଖଡ଼ଗେଙ୍କ ଆକଳନ । କଂଗ୍ରେସ ମୁଖ୍ୟାଳୟରେ ବୈଠକ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ଜନତା ଆମକୁ ଆଶୀର୍ବାଦ କରିଛନ୍ତି । ଆମେ ୨୯୫ରୁ ଅଧିକ ଆସନ ହାସଲ କରିବୁ । ଏହି ସଂଖ୍ୟା ବଢିବ ସିନା କମିବ ନାହିଁ । ସୂଚନାଯୋଗ୍ୟ, ଏପ୍ରିଲ୍ ୧୯ ରୁ ସାତୋଟି ପର୍ଯ୍ୟାୟରେ ୫୪୩ ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ । ଆଜି ଶେଷ ପର୍ଯ୍ୟାୟ ଥିବା ବେଳେ ଗଣନା ଜୁନ୍ ୪ ରେ ହେବ । ସେପଟେ ନୂଆ ସାଂସଦଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇଗଲାଣି ଲୋକସଭା ।