ଜମ୍ମୁ-କାଶ୍ମୀରରେ ଚାଲିଛି ସର୍ଚ୍ଚ ଅପରେସନ୍

ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ଯାଞ୍ଚ କରୁଛି ଏନଆଇଏ

ଜମ୍ମୁ-କାଶ୍ମୀର ରିୟାସି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟଣା । ଯାଞ୍ଚ ପାଇଁ ଘଟଣାସ୍ଥଳକୁ ଗଲେ ଏନଆଇଏ ଟିମ୍ । ଆତଙ୍କବାଦୀଙ୍କୁ ଧରିବାକୁ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ । ପୂରା ଜଙ୍ଗଲକୁ ଘେରାବନ୍ଦୀ କରି କମ୍ବିଂ ଅପରେସନ କରାଯାଉଛି । ଆତଙ୍କବାଦୀଙ୍କୁ ଖୋଜିବାକୁ ଡ୍ରୋନ ଓ ହେଲିକପ୍ଟରର ବ୍ୟବହାର କରୁଛନ୍ତି ଯବାନ । ଜାମ୍ମୁ କାଶ୍ମୀରର ଡିଜାଷ୍ଟର ରେସପନ୍ସ ଟିମକୁ ମୁତୟନ କରାଯାଇଛି । ରବିବାର ତୀର୍ଥ ଯାତ୍ରୀମାନେ ବୈଷ୍ଣୋଦେବୀ ଯାଉଥିବା ବେଳେ ଏହି ବସ ଉପକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଏହାପରେ ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା ବସ୍ । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଲକ୍ସର ସହଯୋଗୀ ସଂଗଠନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି । ଏହି ଆକ୍ରମଣରେ ୩ରୁ ୪ ଜଣ ଆତଙ୍କବାଦୀ ସାମିଲ ଥିବା ମଧ୍ୟ ଜଣାପଡ଼ିଛି । ଏହି ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି ।