ଜାମ୍ମୁ-କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା, ଖୁବଶୀଘ୍ର ହେବ ବିଧାନସଭା ନିର୍ବାଚନ
ଜାମ୍ମୁ କାଶ୍ମୀର ଉଧମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଘୋଷଣା । ଜାମ୍ମୁ-କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା । ଖୁବଶୀଘ୍ର ହେବ ବିଧାନସଭା ନିର୍ବାଚନ । ଏଭଳି ଘୋଷଣା କରିଛନ୍ତି ମୋଦି । ଏକ ରାଜନୈତିକ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ୨ଟି ବଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ବାରମ୍ବାର ଏଠାରେ ନିର୍ବାଚନ କରିବାକୁ ଦାବି କରି ଆସୁଛନ୍ତି ବିଭିନ୍ନ ରାଜନୈତିକ ଦଳ । କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ଦେଶର ଲୋକଙ୍କ ପାଇଁ କଂଗ୍ରେସ ଓ ଇଣ୍ଡି ମେଣ୍ଟର ଟିକିଏ ବି ଚିନ୍ତା ନାହିଁ । ଲୋକଙ୍କ ଭାବନା ସହ ଖେଳିବାରେ ସେମାନେ ମଜା ପାଉଛନ୍ତି । ନବରାତ୍ରୀରେ ଆମିଷ ଖାଇ ଏହାର ଭିଡ଼ିଓ ଛାଡି ଲୋକଙ୍କ ଭାବନା ସହ ଖେଳୁଛନ୍ତି । ଏଭଳି କରି ବିରୋଧୀ କାହାକୁ ଖୁସି କରିବାକୁ ଚାହୁଁଛନ୍ତି । ଏହି ପ୍ରସଙ୍ଗ ଉଠାଇବା ପରେ କିଛି ଲୋକ ମୋତେ ଗାଳି ଦେବେ । କିନ୍ତୁ ଯେତେବେଳେ କୌଣସି କଥା ସହିହେବନି ସେତେବେଳେ ଦେଶବାସୀଙ୍କୁ ଠିକ୍ ରାସ୍ତା ଦେଖାଇବା ମୋର ଦାୟିତ୍ୱ । ମୋଗଲମାନଙ୍କ ଚିନ୍ତାଦ୍ୱାରାକୁ ଆଣି ବିରୋଧୀ ରାଜନୀତି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୨୦୧୪ରେ ଯେତେବେଳେ ମାତା ବୈଷ୍ଣୋଦେବୀ ମନ୍ଦିର ଆସିଥିଲି ସେତେବେଳେ ଉଧମପୁରରେ ରାଲିକୁ ସମ୍ବୋଧିତ କରିଥିଲି । ଜମ୍ମୁ-କାଶ୍ମୀରର ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇଥିଲି । ମୁଁ ନିଜର ଗ୍ୟାରେଣ୍ଟି ପୂରା କରିଛି । ଏହା ପ୍ରଥମ ନିର୍ବାଚନ ହେବାକୁ ଯାଉଛି ଯେତେବେଳେ ସୀମା ସେପାରିର ଆତଙ୍କବାଦୀ, ପଥରମାଡ କିମ୍ବା ଆତଙ୍କବାଦୀ ଆକ୍ରମଣ ମୁଦ୍ଦାକୁ ନେଇ ଲଢାଯିବ ନାହିଁ । ଏହି ନିର୍ବାଚନ କେବଳ ସାଂସଦ ବାଛିବା ପାଇଁ ନୁହେଁ ବରଂ କେନ୍ଦ୍ରରେ ଏକ ଶକ୍ତିଶାଳୀ ସରକାର ଗଢିବା ପାଇଁ ହେଉଛି ।