୧୮ ବର୍ଷର ଅପେକ୍ଷାର ହେଲା ଅନ୍ତ

IPL ଟ୍ରଫି ଜିତିଲା ଆରସିବି

୧୮ ବର୍ଷର ଅପେକ୍ଷାର ହେଲା ଅନ୍ତ । ଶେଷରେ ରନ୍ ମେସିନ୍ ଜିତିଲେ ଆଇପିଏଲ ଟ୍ରଫି । ପ୍ରଥମ ଥର ଚାମ୍ପିଅନ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପଞ୍ଜାବ କିଙ୍ଗ୍ସକୁ ୬ ରନ୍‌ରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସ ଆଗରେ ୧୯୧ ରନର ଟାର୍ଗେଟ୍‌ ଦେଇଥିଲା  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ତେବେ ଏହାକୁ ପିଛା କରି ପଞ୍ଜାବ କିଙ୍ଗ୍ସ ୧୮୪ ରନ୍‌ କରିବାରେ ସକ୍ଷମ ହୋଇଥିଲା ।

ତେବେ ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁର ଦୁଇ ଓପନର ଫିଲିପ ସଲ୍ଟ ଓ ବିରାଟ କୋହଲି ଆରମ୍ଭରୁ ସତର୍କତାର ବ୍ୟାଟିଂ କରିଥିଲେ । ତେବେ ସଲ୍ଟ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । ଏହା ପରେ ବିରାଟ କୋହଲି ଓ ମୟଙ୍କ ଅଗ୍ରଓ୍ବାଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ମୟଙ୍କ ୨୪ ରନ କରିଥିବାବେଳେ ବିରାଟ ୪୩ ରନ କରିଥିଲେ ।

ସେହିପରି ରଜତ ପଟିଦାର ୨୬ ରନ କରିଥିବାବେଳେ ଲିଆମ ଲିଭିଙ୍ଗଷ୍ଟୋନ ୨୫ ରନ କରିଥିଲେ । ଜିତେଶ ଶର୍ମା ୨୪ରନ ଓ ରୋମାରିଓ ସେଫର୍ଡ ୧୭ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୯୦ ରନ କରିଥିଲା । ପଂଜାବ ପକ୍ଷରୁ ଅର୍ଶଦୀପ ସିଂ ଓ କାଇଲ ଜେମିସନ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ତେବେ ପଞ୍ଜାବ କିଙ୍ଗ୍ସ ୨୦୧୪ରେ ଫାଇନାଲ ଖେଳି କୋଲକାତା ନାଇଟ ରାଇଡର୍ସଠାରୁ ପରାସ୍ତ ହେବା ପରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୦୯, ୨୦୧୧ ଓ ୨୦୧୬ ପରେ ଚତୁର୍ଥ ଥର ପାଇଁ ଫାଇନାଲ ଖେଳି ଟ୍ରଫି ହାସଲ କରିଛି । ଉଭୟ ଦଳ ପୂର୍ବରୁ କେବେ ବି ଚାମ୍ପିଅନ ହୋଇନଥିଲେ ।