ସମୁଦ୍ର ଗର୍ଭରୁ ତଥ୍ୟ ଯୋଗାଡ କରିବ ସମୁଦ୍ରଯାନ
ଭାରତର ସମୁଦ୍ରଯାନ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା। ସମୁଦ୍ରର ଗଭୀର ଜଳ ରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ। ଏଥିପାଇଁ ସମୁଦ୍ର ପତ୍ତନରୁ ୬୦୦୦ ମିଟର ବା ୬ କିମି ଗଭୀର ଜଳରାଶିକୁ ଭାରତ ସରକାର ୩ ଜଣଙ୍କୁ ପଠାଇବେ। ଏଥିପାଇଁ ସ୍ୱତନ୍ତ୍ର ଗୋଲାକୃତି ବୁଡ଼ା ଜାହାଜ ମଧ୍ୟ ତିଆରି କରାଯାଇଛି। ରାଜ୍ୟସଭାରେ ଭାରତର ସମୁଦ୍ରଯାନ ମିଶନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଘୋଷଣା କରିଛନ୍ତି। ସମୁଦ୍ରଯାନ ପ୍ରୋଜେକ୍ଟ ହେଉଛି ଭାରତର ପ୍ରଥମ ମାନବଯୁକ୍ତ ସାଗର ମିଶନ। ଏହି ପ୍ରୋଜେକ୍ଟ ମାଧ୍ୟମରେ ଗଭୀର ସମୁଦ୍ରରେ ଥିବା ସମ୍ପଦ ବିଷୟରେ ତଥ୍ୟ ସଂଗ୍ରହ କରାଯିବ ଓ ଜୈବ ବିବିଧତାର ଆକଳନ କରାଯିବ। ଉକ୍ତ ମିଶନ ଆଦୌ ଇକୋସିଷ୍ଟମକୁ ପ୍ରଭାବିତ କରିବ ନାହିଁ। କାରଣ ଏଥିପାଇଁ ସ୍ୱତନ୍ତ୍ର ଭାବେ ବୁଡ଼ା ଜାହାଜ ପ୍ରସ୍ତୁତ କରାଯାଇଛି। ଏହି ବୁଡ଼ା ଜାହାଜଟି ସଂପୂର୍ଣ୍ଣ ଭାବେ ପରିବେଶ ଉପଯୋଗୀ। ବିଶାଳ ଗଭୀର ସାଗର ମିଶନ ଅଧୀନରେ ଏହି ପ୍ରକଳ୍ପ ବା ପ୍ରୋଜେକ୍ଟ ରହିଛି। ଯାହା କେନ୍ଦ୍ରର ନୀଳ ଅର୍ଥନୀତିକ ନୀତିକୁ ସହାୟତା କରିବ। ସାଗର ସମ୍ପଦକୁ ବ୍ୟବହାର କରି ଦେଶର ଅର୍ଥନୀତିକୁ ବୃଦ୍ଧି କରିବା, ଜୀବନଶୈଳର ଉନ୍ନତିକରଣ, ନିଯୁକ୍ତି ସୃଷ୍ଟି ଓ ସମୁଦ୍ରର ଇକୋସିଷ୍ଟମକୁ ସୁଧାରିବା ଏହି ନୀତିର ଲକ୍ଷ୍ୟ।