ଦୁର୍ଷମକାରୀ ଭାରତୀୟଙ୍କୁ ମିଳିଲା ଦଣ୍ଡ

ସିଙ୍ଗାପୁରରେ ଭାରତୀୟ ଯୁବକଙ୍କୁ ୧୬ ବର୍ଷ ଜେଲ୍‌

ସିଙ୍ଗାପୁରରେ ୨୦୧୯ରେ ଜଣେ ୨୩ ବର୍ଷୀୟ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିଲେ ଭାରତୀୟ ଯୁବକ । ଏହି ମାମଲାରେ ସିଙ୍ଗାପୁର ହାଇକୋର୍ଟ ଜଣେ ୨୬ ବର୍ଷିୟ ଭାରତୀୟ ଯୁବକଙ୍କୁ ୧୬ ବର୍ଷ ଜେଲ୍‌ ଓ ୧୨ ଥର ବେତ୍ରାଘାତ ଦଣ୍ଡାଦେଶ ଦେଇଛନ୍ତି । ୨୦୧୯ ମେ ୪ ତାରିଖ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଉକ୍ତ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ପିଛା କରି ସଫେଇ କାର୍ଯ୍ୟ କରୁଥିବା ଚିନ୍ନୈୟା  କାର୍ତ୍ତିକ ନାମକ ଜଣେ ଭାରତୀୟ ଯୁବକ ବସ୍‌ଷ୍ଟପ୍‌କୁ ଯାଇଥିଲେ। ସେଠାରେ ସେ ଝିଅକୁ ଭୁଲ୍‌ ରାସ୍ତା ବତାଇ କିଛି ବାଟ ନେବା ପରେ ମୁଥ ମାରି କ୍ରାଞ୍ଜି ନାମରେ ଗ‌ୋଟାଏ ବଣୁଆ ଅଞ୍ଚଳକୁ ଘୋଷାରି ନେଇଥିଲେ। ତା’ପରେ ସେଠାରେ ସେ ଝିଅ ସହିତ ଚିନ୍ନୈୟା ଦୁଷ୍କର୍ମ କରିଥିଲେ । ଏସବୁ କରିବା ସମୟରେ ଚିନ୍ନୈୟା ସେ ଝିଅର ମୁହଁ ଓ ଦେହର ଅନ୍ୟାନ୍ୟ ଅଂଶକୁ ଏମିତି କ୍ଷତାକ୍ତ କରି ପକାଇଥିଲେ ଯେ, ଡାକ୍ତରଖାନାରେ ତାଙ୍କ ‌ପ୍ରେମିକ ତାଙ୍କୁ ହଠାତ୍‌ ଚିହ୍ନି ପାରି ନ ଥିଲେ । ଦୁଷ୍କର୍ମ କରି ଚିନ୍ନୈୟା ଘଟଣାସ୍ଥଳରୁ ଚାଲିଯିବା ପରେ ଛାତ୍ରୀଜଣକ ମୋବାଇଲ୍‌ ଫୋନ୍‌ରେ ଜଣେ ବାନ୍ଧବୀକୁ ଫୋନ କରିଥିଲେ। ବାନ୍ଧବୀ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୁଲିସ ସେ ଝିଅକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା।