‘ଇଣ୍ଡିଆ’ ନା ‘ଭାରତ’ ?

ସତରେ କଣ ବଦଳିବ ଦେଶର ନାଁ !

ଏଣିକି ଇଣ୍ଡିଆ ନୁହେଁ ଭାରତ ବୋଲି ଜଣା ଯିବ ଆମ ଦେଶର ନାଁ ! ଏହା ଆଶ୍ଚର୍ଯ୍ୟ ଯେତିକି ରୋଚକ ମଧ୍ୟ ଠିକ ସେତିକି । ଏକଥାକୁ ନେଇ ଏବେ ପଲ୍ଲୀରୁ ଦିଲ୍ଲୀ ସବୁଠି ଚର୍ଚ୍ଚା । ରାଜନୈତିକ ମହଲରେ ବି ଆରମ୍ଭ ହୋଇଗଲାଣି ବୟାନବାଜି । ଭାରତୀୟ ସମ୍ବିଧାନ ଅନୁସାରେ ଇଣ୍ଡିଆର ଅର୍ଥ ଭାରତ, ରାଜ୍ୟଗୁଡି଼କର ଏକ ସଂଘ ।ଏବେ ଏହି ଇଣ୍ଡିଆ ନାଁ ହଟାଇ କେବଳ ଭାରତ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ରସରକାର । ଯାହାର ଅର୍ଥ ଦେଶର ନାଁ ଆଉ ଇଣ୍ଡିଆ ବୋଲି କୁହାଯିବ ନାହିଁ । ଏପରିକି ଆଗାମୀ ୧୮ରୁ ୨୨ ତାରିଖ ଯାଏଁ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏ ସଂପର୍କୀତ ପ୍ରସ୍ତାବ ଆଣିପାରନ୍ତି ମୋଦୀ ସରକାର । ଏଥିପାଇଁ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଅଣାଯାଇପାରେ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଏହି ଖବର ବା ଚର୍ଚ୍ଚା ସେତେବେଳେ ହୋଇଥିଲା ଯେବେ ସାମ୍ନାକୁ ଆସିଥିଲା ଜି-20 ସମ୍ମିଳନୀର ଏକ ଆମନ୍ତ୍ରଣ ପତ୍ର । ଦିଲ୍ଲୀରେ ଆଗାମୀ ୯ ତାରିଖରୁ ଆରମ୍ଭ ହେଉଛି ଜି-୨୦ ଶିଖର ସମ୍ମିଳନୀ । ଏଥିରେ ଯୋଗଦେଉଥିବା ଅତିଥିଙ୍କୁ ଏକ ନୈଶ ଭୋଜିରେ ଯୋଗ ଦେବାପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ଇଂରାଜୀରେ ଲେଖାଯାଇଥିବା ଏହି ଆମନ୍ତ୍ରଣ ପତ୍ରରେ ‘ଦି ପ୍ରେସିଡେଂଟ୍ ଅଫ ଭାରତ’ ବୋଲି ଲେଖାଯାଇଛି । ଯାହାକୁ ନେଇ ମୋଦୀ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛନ୍ତି ବିରୋଧୀ । ଇଣ୍ଡିଆ ମେଂଟର ଶକ୍ତିରେ ଭୟଭିତ ହୋଇ ମୋଦୀ ସରକାର ଦେଶର ନାଁ ପରିବର୍ତନ କରିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି । ଆଗାମୀ ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଣ ସବୁ ପ୍ରସଙ୍ଗ ଆସିବ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ଇଣ୍ଡିଆ ପରିବର୍ତ୍ତିତ ହୋଇ ଭାରତ ହେବା ନେଇ ଚର୍ଚ୍ଚା ଏବେ ଜୋର ଧରୁଛି ।