ମ୍ଯାଚ୍ ପାଇଁ ଟିମ୍ ଇଣ୍ଡିଆର ରଣନୀତି !
ଇଂଲଣ୍ଡକୁ ଟକ୍କର ଦେବ ଭାରତ । ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଭାରତ ଲଗାତାର ୫ ମ୍ୟାଚ ଜିତିସାରିଥିବା ବେଳେ ଇଂଲଣ୍ଡ ମାତ୍ର ଗୋଟିଏ ମ୍ୟାଚ ଜିତିଛି । ତେବେ ଲକ୍ଷ୍ନୌରେ ଆଜିର ମ୍ୟାଚ ଖେଳାଯିବାକୁ ଥିବା ବେଳେ କ୍ରମାଗତ ୫ଟି ବିଜୟ ସହ ଭାରତ ଚଳିତ ବିଶ୍ବକପରେ ଅପରାଜୟ ରହିଥିବା ବେଳେ ଲଂଲଣ୍ଡ ଦଳ ସଂଘର୍ଷ କରୁଛି । ସେପଟେ ଆଜିର ମ୍ୟାଚରେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ନଜର ଶୁବମନ ଗିଲଙ୍କ ଉପରେ ରହିବ । ଡେଙ୍ଗୁ ଆକ୍ରାନ୍ତ ହେବା ପରେ ଗିଲ୍ ବିଶ୍ବକପର ଶେଷ ଦୁଇଟି ମ୍ୟାଚ୍ ଖେଳିପାରି ନଥିଲେ ।
ଇଂଲଣ୍ଡ ଦଳ ଖରାପ ଫର୍ମରେ ଥିଲେ ମଧ୍ୟ ଦିନିକିଆ ବିଶ୍ବକପ୍ ଇତିହାସରେ ଭାରତ ବିପକ୍ଷରେ ଦଳ ସାମାନ୍ୟ ଆଗୁଆ ରହିଛି । ମୋଟ ୮ ମୁକାବିଲାରୁ ଇଂଲଣ୍ଡ ୪-୩ରେ ଅଗ୍ରଣୀ ଥିବାବେଳେ ଗୋଟିଏ ମୁକାବିଲା ଟାଇ ରହିଥିଲା । ତେବେ ଦିନିକିଆ ଇତିହାସରେ ଉଭୟ ଦେଶ ୧୦୬ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୫୭-୪୪ରେ ଆଗୁଆ ରହିଛି । ୨ଟି ମ୍ୟାଚ୍ ଟାଇ ଓ ୩ଟିରୁ ଫଳାଫଳ ବାହାରି ନଥିଲା । ତେବେ ଚଳିତ ବିଶ୍ବକପରେ ପାଣ୍ଡ୍ୟାଙ୍କ ବଦଳରେ କାହାକୁ ଟିମରେ ସାମିଲ କରାଯିବ ତାକୁ ନେଇ ଚିନ୍ତାରେ ପଡିଯାଇଛି ଟିମ ଇଣ୍ଡିଆ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦିକଙ୍କ ବଦଳରେ ଟିମରେ ଦୁଇଟି ପରିବର୍ତନ କରାଯାଇଥିଲା । ମହମ୍ମଦ ସାମିଙ୍କୁ ବୋଲର ଭାବେ ସାମିଲ କରାଯାଇଥିବା ବେଳେ ବ୍ୟାଟର ଭାବେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଥିଲା । ସାମି ଭଲ ବୋଲିଂ କରି ୫ ଟି ୱିକେଟ ମଧ୍ୟ ନେଇଥିଲେ । କିନ୍ତୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କୁ ଟିମରେ ସାମିଲ କରାଯାଇନପାରେ । ତେବେ ସେ ଯାହାବି ହେଉ ନା କାହିଁକି ଭାରତ ଇଂଲଣ୍ଡ ଆଜିର ଲଢେଇ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ ।